ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପିତ

70

-ମାଛଧରା ନିଷିଦ୍ଧାଞ୍ଜଳ ସମ୍ପର୍କରେ ସତର୍କ ସୂଚନା ଦେବ ଆପ୍
-ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେ ସଂରକ୍ଷଣ ଲକ୍ଷ୍ୟ

ଭୁବନେଶ୍ୱର : ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଂଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ । ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ । ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍’ (ଏଫ୍ଏଫ୍ଏମ୍ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍ ଆପ୍ଲିକେସନ୍ ନିମନ୍ତେ ଇଂଟରନେଟ୍ ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍-ଲାଇନ୍ ରେ ଏହା କାର୍ଯ୍ୟ କରିବ । ଏମ୍ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍’ ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ୍ ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଂଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍ ଆପ୍ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି । ଏହି ଆପ୍ ଦ୍ୱାରା ସଂପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ । ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍ କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରକାଶ ଥାଉ କି, ପ୍ରତିବର୍ଷ ଏହି ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ୍ ଦୂରରୁ ଧାମରା, ଦେବୀନଦୀ, ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି । ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧିତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍. ରଘୁପ୍ରସାଦ ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦-୨୧ ଆର୍ôଥକ ବର୍ଷରେ ଏହା ୧.୭୨ ଲକ୍ଷ ମେଟ୍ରିକ୍ ଟନ୍ ରେ ପହଂଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପାଲ୍ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥିବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲେ ।

ଏହି ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୪ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲେ । ଆଗାମୀ ଦିନରେ ଏହି ମୋବାଇଲ୍ ଆପ୍ଲିକେସନ୍ ରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥିଲେ । ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ ।

Comments are closed.