ଉପନିର୍ବାଚନର ବାର୍ତ୍ତା

72

ଦେଶରେ ୩ ଲୋକସଭା ଓ ୨୯ ବିଧାନସଭା ପାଇଁ ହୋଇଥିବା ଭୋଟ ଗଣତିର ଫଳାଫଳ ଆସିଥିବା ବେଳେ ବିଜେପିକୁ ଏଥିରେ ଧକ୍କା ଲାଗିଛି । ହିମାଚଳ ପ୍ରଦେଶରେ କ୍ଷମତାରେ ଥିବା ବିଜେପିକୁ କଂଗ୍ରେସ ବଡ଼ ଝଟକା ଦେଇଛି । ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂ ବିଜେପି ପ୍ରାର୍ଥୀ କୋଶାଲ ଠାକୁରଙ୍କୁ ପରାଜିତ କରିଛନ୍ତି । ଏହାସହ ୩ଟି ବିଧାନସଭା ଆସନରେ ବି ବିଜେପିକୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆସାମରେ ହୋଇଥିବା ୫ ଟି ବିଧାନସଭା ପାଇଁ ନିର୍ବାଚନରେ ବିଜେପିର ପ୍ରାର୍ଥୀମାନେ ଅବଶ୍ୟ ଜିତିଛନ୍ତି । ସେହିଭଳି ମିଜୋରାମରେ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜୟୀ ହୋଇଛି । ପଶ୍ଚିମବଙ୍ଗରେ ପୂରା ବାଜିମାତ୍ କରିଛି ତୃଣମୂଳ କଂଗ୍ରେସ । ପ୍ରତିପକ୍ଷ ବିଜେପିକୁ ହରାଇ ୪ଟି ଯାକ ଆସନକୁ ନିଜ ହାତମୁଠାକୁ ନେଇଯାଇଛି ଦିଦିଙ୍କ ଦଳ । ପଶ୍ଚିମବଙ୍ଗରେ ୪ଟି ଯାକ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ମମତାଙ୍କ ନେତୃତ୍ୱାଧୀନ ଦଳ ସବୁ ଆସନ ପୋଛି ନେଇଛି । ପଶ୍ଚିମବଙ୍ଗର ଦୁଇଟି ଆସନ ଦିନହାତା ଏବଂ ଶାନ୍ତିପୁର ଆସନ ସମସ୍ତଙ୍କ ନଜରରେ ଥିଲା । ଏ ଦୁଇଟି ଯାକ ଆସନରେ ଟିଏମ୍ସି ଦଳର ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି । ଉପନିର୍ବାଚନରେ ଦଳର ବିପୁଳ ବିଜୟ ପରେ ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ, ଏହା ହେଉଛି ଜନତାଙ୍କ ବିଜୟ । ଏହା ଦର୍ଶାଉଛି ଯେ ପଶ୍ଚିମବଙ୍ଗ ସର୍ବଦା ବିକାଶକୁ ପସନ୍ଦ କରେ ଏବଂ ଅପପ୍ରଚାର ରାଜନୀତିକୁ ଘୃଣା କରେ । ଲୋକଙ୍କ ଆଶୀର୍ବାଦରେ ରାଜ୍ୟକୁ ଆହୁରି ଶିଖରକୁ ନେଇଯିବୁ ବୋଲି ଆମେ ପ୍ରତିଜ୍ଞା କରୁଛୁ । ମଧ୍ୟପ୍ରଦେଶରେ ଯେଉଁ ୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା ସେଥିରେ ଦୁଇଟି ଆସନରେ ବିଜେପି ଜିତିଛି । ସେହିଭଳି ମେଘାଳୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କ୍ଷମତାରେ ଥିବା ଏନପିପି ଓ ତାର ସହଯୋଗୀ ଦଳ ୟୁଡିପି ସମସ୍ତ ୩ ଟି ଆସନରେ ବିଜୟ ଲାଭ କରିଛନ୍ତି । ସେ ରାଜସ୍ଥାନରେ ୨ଟି ବିଧାନସଭା ଆସନରେ ହୋଇଥିବା ମତଦାନରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ତେଲେଙ୍ଗାନାରେ ବିଜେପି ଗୋଟିଏ ଆସନରେ ଜିତି ତା’ର ଦମ ଦେଖାଇଛି ।

ଏହି ଉପନିର୍ବାଚନ ଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଯେଉଁ ରାଜ୍ୟରେ ଯେଉଁ ଦଳ କ୍ଷମତାରେ ଅଛନ୍ତି ସେହି ଦଳକୁ ହିଁ ଭୋଟ ଦେବା ପାଇଁ ଭୋଟର ଇଚ୍ଛା ପ୍ରକଟ କରିଛନ୍ତି । ପୂର୍ବରୁ ମଧ୍ୟ ଏହି କଥା ହିଁ ଦେଖାଯାଇ ଆସିଛି । ଉପନିର୍ବାଚନ ସାଧାରଣତଃ ଶାସକ ଦଳର ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

Comments are closed.