୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ

70

ମାଲକାନଗିରି : ଶନିବାର ସନ୍ଧ୍ୟା ସମୟରେ ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବା ସହ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାବେଳେ ଚିତ୍ରକୋଣ୍ଡା ରେ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରଥମେ ଜିଲ୍ଲାର ବାଲିମେଳା ଏନଏସି ଗସ୍ତରେ ଆସିଥିଲେ। ସେଠାରେ ପୂର୍ବେ ସେ ଜଳ ବିଦ୍ୟୁତ କେନ୍ଦ୍ରର ଇଂଜିନିୟର ରୂପେ କାର୍ଯ୍ୟ କରୁଥିବା ହେତୁ ସେ ନିଜର କର୍ମଭୂମି ରେ ପ୍ରଥମେ ପାଦ ଥାପିଥିଲେ। ନଗର ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ଆଦିବାସୀ ନୃତ୍ୟ ଏବଂ ବାଜାର ତାଳେ ତାଳେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ କରାଯାଇଥିଲା। ସେ ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ଥିବାବେଳେ ଯେଉଁପରି ଭାବେ କାଳୀ ମନ୍ଦିର ଯାଇ ମାଙ୍କ ପୂଜାର୍ଚନା କରି ସେ ନିଜର କାର୍ଯ୍ୟାଳୟ କୁ ଯାଉଥିଲେ ଠିକ ସେହିପରି ଭାବେ ବର୍ତ୍ତମାନ ମା କାଳୀ ଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ ସେ କାଳୀଙ୍କ ନିକଟରେ ଭାରତ ବର୍ଷର ୧୩୦ କୋଟି ଜନତାଙ୍କ ସେବା କରିବା ସହ ଏହି ଆଦିବାସୀ ଅଂଚଳର ଉନ୍ନତି କିପରି କରିବେ ସେ ନେଇ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେ ଇରିଗେସନ ବିଭାଗର ଡାକ ବଙ୍ଗଳା କୁ ଯାଇ ବାଲିମେଳା ନଗରରେ କିପରି ଆଗାମୀ ଦିନରେ ବିଜେପି ସଂଗଠନ ସୁଦୃଢ଼ ହେବା ସହ ନଗରରେ ବିଜେପିର ଜିତ ହେବ ସେନେଇ ସେ ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିଥିଲେ । ଏବଂ ଆଜି ପ୍ରାତଃ ସମୟରୁ ସେ ଉଠି ନିଜ ହାତରେ ନିର୍ମାଣ କରିଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ଶାଖା କୁ ଯାଇ ଯୋଗ ବ୍ୟାୟାମ କରିବା ସହ ନୂତନ ଓ ପୁରାତନ ସ୍ବୟଂ ସେବକଙ୍କୁ ଆରଏସଏସ ସମ୍ବନ୍ଧରେ ଅବଗତ କରାଇଥିଲେ। ପୂର୍ବେ ସେ ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଭାବେ ପରିଚାଳନା କରୁଥିଲେ । ତେଣୁ ସେଠାକାର ପ୍ରଧାନ ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ସେ ନିଜର ସମୟ ବାହାର କରି ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପାଠ ପଢି ବିଦ୍ୟାଳୟର ନାମ ରଖିବା ନିମନ୍ତେ ଶ୍ରୀ ଟୁଡୁ ଗୁରୁମନ୍ତ୍ର ଦେଇଥିଲେ। ବାଲିମେଳା ତାଙ୍କର ପୂର୍ବ କର୍ମଭୂମି ହୋଇଥିବା ହେତୁ ବାଲିମେଳା ପ୍ରତି ତାଙ୍କର ଆନ୍ତରିକତା ଅଧିକ ରହିଛି ବୋଲି କହିଥିବା ସହ ଅଞ୍ଚଳର ଆଦିବାସୀ ମାନଙ୍କ ନିମନ୍ତେ ସର୍ବଦା ସେ ସମର୍ପିତ ବୋଲି ବକ୍ତବ୍ୟ ଦେଇଥିଲେ ।

ପରେ ସେ ଚିତ୍ରକୋଣ୍ଡା ବ୍ଲକ ଗସ୍ତରେ ଯାଇଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ର ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପି ଆଇଟିଡିଏ ଖୀରାବ୍ଧୀ ଆଚାର୍ଯ୍ୟ, ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା, ବିଡ଼ିଓ ରାହୁଲ ମଣ୍ଡଳ ଙ୍କ ସମେତ ଅନ୍ୟ ବ୍ଲକ କର୍ମଚାରୀ ତାଙ୍କୁ ଫୁଲ ତୋଳା ଦେଇ ସ୍ୱାଗତ ଜଣାଇଥିଲେ। ପରେ ସେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭୂମି ପୂଜନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥି ସମେତ ସେ ୨ ଟି ନଡ଼ିଆ ଗଛ ଏବଂ ୨ ଟି ଆମ୍ବ ଗଛ ସେଠାରେ ରୋପଣ କରିଥିଲେ। ତତ ସହିତ ଚିତ୍ରକୋଣ୍ଡାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସେ ସାମିଲ ହୋଇଥିଲେ । ସେଠାରେ ନୂତନ କରି ଯୋଗ ଦେଇଥିବା ବିଜେପି କର୍ମୀ ଙ୍କୁ ସେ ନିଜ ଦଳ କୁ ସ୍ୱାଗତ କରି ମୋଦି ଜୀ ଙ୍କ ଉନ୍ନୟନ ମୂଳକ ଯୋଜନା ସମ୍ବନ୍ଧରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ । ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ ସମୟରେ ପୂର୍ବତନ ନବରଙ୍ଗପୁର ବିଜେପି ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗି, ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଜିଲ୍ଲା ପ୍ରଭାରୀ କାଳୀରାମ ମାଝୀ, ବିଜେପି ଜିଲ୍ଲା ଉପ ସଭାପତି ସୁବାସ ପଡ଼ିଆମୀ, ଜିଲ୍ଲା ସମ୍ପାଦକ ଅକ୍ଷୟ ବିଶ୍ୱାଳ, ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ପୂର୍ବତନ ନଗର ସଭାପତି ପ୍ରଦୀପ ନାୟକ, ପୂର୍ବତନ କାଉନସିଲର ଗୌର ଖିଲ, କୋରୁକୋଣ୍ଡା ବିଧାୟକ ପ୍ରତିନିଧି ଏସ ମହେଶ୍ୱର, ଜେ ଦିଲ୍ଲୀପ, ମନୋଜ ନାୟକ, ବିଜୟ ରାଉତ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Comments are closed.