ନିର୍ମାଣର ଚାରି ବର୍ଷ ବିତିଲା, କେବେ କାର୍ଯ୍ୟକ୍ଷମ ହେବ ବିଇଡି କଲେଜ

75

ମାଲକାନଗିରି : ରାଜ୍ୟ ସରକାର ମାଲକାନଗିରି ଜିଲାରେ ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଦଶ କୋଟି ଟଙ୍କା ବ୍ୟୟ ଅଟକଳରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ବି.ଇଡି କଲେଜ) ପାଇଁ ଚକାଚକ୍ କୋଠା ନିର୍ମାଣ ହେଲା । ଜିଲାବାସୀଙ୍କ ଆଶା ଥିଲା ବିଏଡ କରିବା ପାଇଁ ଆଉ ଜିଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ମାଗଣାରେ ଆଦିବାସୀ ପିଲାମାନେ ଏହି ବି.ଇଡି ମହାବିଦ୍ୟାଳୟରେ ଶିକ୍ଷକତା ଗ୍ରହଣ କରି ଆଗାମୀ ଦିନରେ ଶିକ୍ଷକ ଭାବେ ନିଯୁକ୍ତି ପାଇ ନିଜର ଭବିଷ୍ୟତ ଗଢିଥାନ୍ତେ । କିନ୍ତୁ ସବୁ ଆଶା ବିଫଳ ହେଲା । ଚକାଚକ କୋଠା ନିର୍ମାଣ ହେଲା, କୋଠା ସହ ଖେଳପଡିଆ, ଛାତ୍ରାବାସ, ଚତୁଃପାର୍ଶ୍ଵରେ ଉଦ୍ୟାନ, କର୍ମଚାରୀଙ୍କ ରହିବା ପାଇଁ ଗୃହ ଇତ୍ୟାଦି ସମସ୍ତ ପ୍ରକାର ସୁବିଧା କରି ୧୦ କୋଟି ଟଙ୍କା ଖର୍ଚ୍ଚ କରାଗଲା । ୨୬ ଜୁଲାଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ମହାବିଦ୍ୟାଳୟ ଉଦ୍ଘାଟନ କରିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରିନାହିଁ ଏହି ମହାବିଦ୍ୟାଳୟ । ଏହାର ମୁଖ୍ୟ କାରଣ ନୂଆଦିଲ୍ଲୀର ଏନ୍.ସି.ଟି.ଇ.ର ଅନୁମୋଦନ ମିଳିପାରି ନ ଥିବାରୁ ଏଠାରେ ଶିକ୍ଷା ଆରମ୍ଭ ହୋଇପାରି ନ ଥିବା ଜଣାପଡ଼ିଛି ।

ବାରମ୍ବାର ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ନିମନ୍ତେ କେନ୍ଦ୍ର ମାନବ ସମ୍ବଳ ବିଭାଗକୁ ଅନୁରୋଧ କରାଯାଇଛି । ତେବେ ସରକାର ପ୍ରଥମେ ଏନ୍.ସି.ଟିଇର ଅନୁମୋଦନ ପାଇଁ ଆବେଦନ କରିବା କଥା, କିନ୍ତୁ କୌଣସି ଆବେଦନ ନ କରି ପ୍ରଥମେ କୋଠା ନିର୍ମାଣ କରିଥିବାରୁ ଯାହା ପ୍ରଥମେ ଆବଶ୍ୟକ ତାହା କରିପାରିଲେ ନାହିଁ । ତେଣୁ ଏବେ ଏହି କୋଠାଟି କୌଣସି କାମରେ ଆସିପାରୁ ନ ଥିବାରୁ ଏକ ପ୍ରକାର ଭୂତକୋଠି ପାଲଟିଛି । ଅନ୍ୟପକ୍ଷରେ ବର୍ଷବର୍ଷ ଧରି ଖାଲି ରହିଥିବାରୁ ଗତବର୍ଷ ୨୦୨୦ରେ ଏଠାରେ ଅସ୍ଥାୟୀ ଭାବେ କରୋନା ଚିକିତ୍ସାଳୟ ଓ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ପୁଣି ତାଲା ପଡ଼ିଯାଇଥିଲା ଏହି କୋଠା । ବର୍ତ୍ତମାନ ପୁନର୍ବାର କୋଠାଟିକୁ ପ୍ରଶାସନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ କାର୍ଯ୍ୟାଳୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସରକାରଙ୍କ ଚରମ ଅବହେଳା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜିଲାର ଛାତ୍ରଛାତ୍ରୀ । ଭବିଷ୍ୟତରେ ଏଠାରେ ପାଠ ପଢିବାର ସ୍ବପ୍ନ ଦିନକୁ ଦିନ ମଉଳିବାରେ ଲାଗିଛି । ପୂର୍ବରୁ ବି.ଏଡ କଲେଜ ନ ଥିଲା । ତେଣୁ ଜିଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯେଭଳି ଏଠାକାର ଛାତ୍ରଛାତ୍ରୀ ପଢିବାକୁ ନ ଯା’ନ୍ତି ସରକାରୀ ଭାବେ ମାଗଣାରେ ପାଠ ପଢିପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ଏଠାରେ ବି.ଏଡ୍ କଲେଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କୋଠା ତିଆରି ହେଲା, ଦିଲ୍ଲୀରୁ ଏନ୍.ସି.ଟିଇ ର ଅନୁମତି ମିଳିପାରିନାହିଁ । ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା ଦ୍ବାରା ଏହି କୋଠାଟି ନିର୍ମାଣ ହୋଇଥିବା ବେଳେ ଅଧିକାରୀଙ୍କ କହିବା କଥା ହେଲା, ଆମେ କେବଳ କୋଠା ନିର୍ମାଣ କରିଥିଲୁ, କୋଠାର ଭବିଷ୍ୟତ ନିର୍ଦ୍ଧାରଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କରିବେ । ତେବେ ଏନ୍.ସି. ଟି.ଇ.ର ଅନୁମୋଦନ ନ ମିଳିବାରୁ ବି.ଇଡି କଲେଜ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେବେ ବି.ଏଡ କଲେଜ କାର୍ଯ୍ୟକ୍ଷମ ପାଇଁ ପ୍ରଥମେ ଏନ୍.ସି.ଇଟି ଅନୁମୋଦନ ଦରକାର , କିନ୍ତୁ ସରାକାର ତାହା ନ କରି କୋଟିକୋଟି ଟଙ୍କାର କୋଠା ନିର୍ମାଣ କରି ଚୁପ୍ ହୋଇ ବସିଯାଇଛନ୍ତି । ଯାହାର ଫଳ ଏ ଅଞ୍ଚଳର ଛାତ୍ରଛାତ୍ରୀ ଭୋଗୁଥିବା ଚର୍ଚ୍ଚା ହେଉଛି ।

Comments are closed.