ଶ୍ରୀମନ୍ଦିରରେ ଲଷ୍ମୀନାରାୟଣ ବେଶ, ପଞ୍ଚକ ଆରମ୍ଭ

64

ପୁରୀ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚକ ନୀତି । ପଞ୍ଚକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର । କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀ ବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ “ଲକ୍ଷ୍ମୀନାରାୟଣ ଵା ଠିଆକିଆ” ବେଶ ହୋଇଥାଏ । ଉପରୋକ୍ତ ବେଶ ଥାଇ ଶ୍ରୀ ଜୀଉମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥାଏ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତି । କାର୍ତିକ ମାସରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ । ଏତଦ୍ ବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ୱର୍ଣ୍ଣକିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ତେବେ ରାଜବେଶରେ ତିନିଗୋଟି ସୁନା କିରୀଟ ଲାଗି ହୁଅନ୍ତି । ଏହି ବେଶ ସ୍ନାନନୀତି ପରେ ଆରମ୍ଭ ହୁଏ ଏବଂ ବାଳଧୂପ ପର୍ଯ୍ୟନ୍ତ ରହେ । କାର୍ତ୍ତିକ ମାସରେ ବାଳଧୂପ କରାଯାଏ । ଏହି ବେଶର ଅନ୍ୟନାମ ହେଲା ଠିଆକିଆ ବେଶ । ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମ ଏପରି ରଖାଯାଇଛି ।

ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ । ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି, ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ । ସେପଟେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି । ଆଜି ବଡ଼ ଏକାଦଶୀରେ ଭକ୍ତଙ୍କ ଭିଡ଼ ହେବାନେଇ ଆଶଙ୍କା ଥିବାରୁ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ ବନ୍ଦ ରହିଛି । ଏଣୁ ପବିତ୍ର ପଞ୍ଚୁକର ପ୍ରଥମ ଦିବସରେ ମହାପ୍ରଭୁଙ୍କ ଆକର୍ଷଣୀୟ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନରୁ ଭକ୍ତ ବଂଚିତ ହୋଇଛନ୍ତି । ତେବେ ଆସନ୍ତା କାଲି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ । ଭକ୍ତ ମାନେ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନ କରି ପାରିବେ । ପରେ ଦୁଇ ଦିନ ଶ୍ରୀମନ୍ଦିର ଖୋଲାଥିବା ବେଳେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ମଧ୍ୟ ଭକ୍ତ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ କୋଭିଡ କଟକଣା ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁ କାର୍ତ୍ତିକ ପୂର୍ଣ୍ଣିମାରେ ସୁନା ବେଶ ତଥା ରାଜଧିରାଜ ବେଶରେ ବିଭୂଷିତ ହେବେ । ତେବେ ଦର୍ଶନ କଟକଣା ଥିବାରୁ ଶ୍ରୀଜୀଉଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଂଚିତ ରହିବେ ଭକ୍ତ ।

Comments are closed.