କାଲିମେଳା ଆଶ୍ରମ ବିଦ୍ୟାଳୟରୁ ଚାଉଳ ବିକ୍ରୀ ଘଟଣାରେ ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ

71

ମାଲକାନଗିରି : ଚୋରାରେ ବିକି ଦେଲେ ଛାତ୍ରଛାତ୍ରୀଙ୍କ ଚାଉଳ । ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ କାଳିମେଳା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଉଳ ଚୋରାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ପ୍ରଧାନଶିକ୍ଷକ, ପିଅନ ଓ ରୋଷେୟାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟକୁ ଆସିଥିବା ତିନି ବସ୍ତା ଚାଉଳ ଚୋରାରେ ବିକ୍ରି ପାଇଁ ବିଦ୍ୟାଳୟରୁ ଯାଇ କାଲିମେଳା ବଜାରରେ ପହଞ୍ଚି ଥିଲା । ଏହା ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଧରାପଡିଥିଲା । ପ୍ରଧାନଶିକ୍ଷକ, ରୋଷେୟା ଏବଂ ପିଅନଙ୍କ ମଧୁଚନ୍ଦ୍ରିକାରେ ଚାଲିଥିଲା ଏହି ଚୋରାରେ ଚାଉଳ ବିକ୍ରି କାରବାର । ଘଟଣା ପରେ କାଲିମେଳା ପଞ୍ଚାୟତ ସମିତିର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭରତ ଗୁରୁ ତଦନ୍ତ କରି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକ ରମାକାନ୍ତ ବେହେରା, ରୋଷେୟା ସୁରେନ୍ଦ୍ର ମାଢ଼ୀ ଏବଂ ପିଅନ ହରି ବଡନାୟକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିଥିଲା । କେସ ନମ୍ବର ୨୮୧ / ୧୪ , ୧୧ ଅନୁସାରେ ଆଇପିସି ଧାରା ୪୫୪ / ୩୮୦ / ୩୪ରେ ମାମଲା ରୁଜ୍ଜୁ କରାଯାଇ ଏମଭି ୭ ୯ ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି । ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ ପୂର୍ବରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପୂର୍ବରୁ ମଧ୍ୟ ଏପରି ଚାଉଳ ଚୋରାରେ ବିକ୍ରି ହେଇଥିବା ଚର୍ଚ୍ଚା ହେଉଛି ।

Comments are closed.