ଦୁଇ ୱେବ୍ ପୋର୍ଟାଲ ଲୋକାର୍ପିତ : ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ମୂଳ ଲକ୍ଷ୍ୟ

62

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନଯାଇ ସରକାରଙ୍କଠାରୁ ସେବା ପାଇବାର ସ୍ୱାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ୱାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର । ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ୱାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି ଆପ୍ଲିକେସନ୍ରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ସେ କହିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି । ଏଥିରେ ୱେବସାଇଟ୍, ମୋବାଇଲ ଆପ୍, ୱେବ ଚାଟ୍ବଟ୍ ହ୍ୱାଟ୍ସଆପ୍, ଚିଠି ଏବଂ ଟୁଇଟର ଓ ଫେସ୍ବୁକ୍ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡେଲ୍ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ । ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହାବ୍ୟତୀତ ସେମାନଙ୍କୁ ଏସ୍ଏମ୍ଏସ୍ ଓ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସଂପର୍କରେ ଜଣାଇ ଦିଆଯିବ ।

ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍,ଡିକ୍ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ । ସୂଚନାଯୋଗ୍ୟ ଯେ ଏହି ଓଡିଆ ଭର୍ଚୁଆଲ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ତିନିବର୍ଷ ମଧ୍ୟରେ ଏହା ସଫଳତାର ସହ କାର୍ଯ୍ୟ କରିବା ସହିତ ଏହାକୁ ଆହୁରି ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଏହି ଅତ୍ୟାଧୁନିକ ୱେବପୋର୍ଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍ମାଟରେ ଡିଜିଟାଇଜ କରାଯାଇ ୱେବପୋର୍ଟାଲରେ ରଖାଯାଇଛି । ଏହାସହିତ ୧୦ହଜାର ପୁସ୍ତକର ପିଡିଏଫ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି । ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍ ଓ ଗବେଷକମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି । ଓଡିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି । ଏହାସହିତ ପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନୀତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବସାଇଟରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଜନଶୁଣାଣୀ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପଲବ୍ଧତା । ଏହା ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ । ଭର୍ଚୁଆଲ ଏକାଡେମୀର ଏହି ନୂତନ ୱେବସାଇଟ ଓଡିଆ ଭାଷାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରି·ଳନା କରିଥିଲେ । ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ସଚିବ ମନୋଜ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ସଚିବ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

୮୧ ଡାକ୍ତର ନିଯୁକ୍ତିକୁ ଅନୁମୋଦନ :

ରାଜ୍ୟରେ ଅଧିକାଂଶ ମେଡିକାଲରେ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୧ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ରାଜ୍ୟରେ ଅତିଶୀଘ୍ର ପୂରଣ ହେବ ଡାକ୍ତରୀ ପଦବୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା(ଓଏମ୍ଏଚ୍ଏସ୍) ଗ୍ରୁପ୍ ଏ’ରେ ପଦବୀ ପୂରଣ ହେବ । ୮୧ଟି ପଦବୀ ପାଇଁ ଅନୂସଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅନୁସୂଚିତ ଜାତି ପାଇଁ ୪୭ଟି ଓ ଅନୁସୂଚିତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ ରହିଛି ।

Comments are closed.