ଘାତକ ଓମିକ୍ରନ୍: ସାରା ବିଶ୍ୱ ଛାନିଆ

63

-ବିଦେଶାଗତଙ୍କ ପ୍ରତି ନଜର ରଖିବାକୁ ମୋଦୀଙ୍କ ପରାମର୍ଶ
-୩୨ଥର ରୂପ ବଦଳାଉଛି ନୂଆ ଭାରିଆଣ୍ଟ ଓମିକ୍ରନ୍
-ବିଶ୍ୱବଜାର ଓ ଖେଳ ଉପରେ ମଧ୍ୟ ପଡ଼ିଛି ପ୍ରଭାବ
-ଓମିକ୍ରନ୍ ଆଗରେ ଟିକା ପ୍ରଭାବ ନେଇ ଗବେଷଣା ଆରମ୍ଭ

ନୂଆଦିଲ୍ଲୀ : ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱରେ କମ୍ପନ ଦେଖାଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟ ପୂର୍ବ ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ ବୋଲି କହିବା ପରେ ଚାରିଆଡେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଭାରିଆଣ୍ଟ ବାରମ୍ବାର ରୂପ ବଦଳାଉଥିବାରୁ ସମସ୍ତଙ୍କ ମନରେ ଆଶଙ୍କା ବଢ଼ିଛି । ଭାରିଆଣ୍ଟ ବି-୧୧.୫୨୯ର ନାମକରଣ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି ଯେ, ଏହା ଭାରିଆଣ୍ଟ ଅଫ୍ କନ୍ସର୍ନ ଅର୍ଥାତ୍ ଏହା ଅନ୍ୟ ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ବ୍ୟାପିବା ସହ ବହୁ ମାରାତ୍ମକ । ଶୀଘ୍ର ବହୁଥର ରୂପ ବଦଳାଇପାରୁଥିବା ଏହି ଭାରିଆଣ୍ଟକୁ ନେଇ ଏବେ ସାରା ବିଶ୍ୱର ଚିନ୍ତା ବଢ଼ିଯାଇଛି । ଓମିକ୍ରନ୍ ସମ୍ପର୍କରେ ଦକ୍ଷିଣ ଆଫ୍ରିକାରୁ ନଭେମ୍ବର ୨୪ରେ ମିଳିଥିଲା ସୂଚନା । ଏହାସହ ବେଲଜିୟମ୍, ହଂକଂ ଓ ଇସ୍ରାଏଲରୁ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସର୍ଭେଲାନ୍ସ ବଢ଼ାଇବା ସହ ସ୍ୱାସ୍ଥ୍ୟସେବାକୁ ମଜଭୂତ କରି ଟିକାକରଣ ବଢ଼ାଇବାକୁ ପରାମର୍ଶ ଦେଇଛି ‘ହୁ’ । ଏହି ନୂଆ ଭାରିଆଣ୍ଟ ଆଶଙ୍କା ଭିତରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ୨୫ରୁ ଭାରତ ଆନ୍ତର୍ଜାତିକ ବିମାନ ଉଡ଼ାଣରେ କଟକଣା କୋହଳ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏବେ ନୂଆ ଭାରିଆଣ୍ଟ ସ୍ଥିତିରେ ଏହାର ସମୀକ୍ଷା କରିବା ଲାଗି ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କହିବା ସହିତ ଯେଉଁ ଦେଶରେ ବିପଦ ଅଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡ଼ିବା ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ବେଙ୍ଗାଲୁରୁ ଫେରନ୍ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ଧରପଗଡ଼କୁ ଜୋରଦାର କରାଯାଇଛି । ତେବେ ସେମାନଙ୍କ ଶରୀରରୁ ଓମିକ୍ରନ୍ ଭାରିଆଣ୍ଟ ମିଳିନାହିଁ । କିନ୍ତୁ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜିନୋମ୍ ସିକ୍ୱେସିଂରୁ ଜଣାପଡ଼ିଛି । କିନ୍ତୁ ସତର୍କତା ଅବଲମ୍ବନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଚିଠି ଲେଖିଛି । ଆନ୍ତର୍ଜାତିକ ବିମାନ ବନ୍ଦରରେ ସର୍ଭେଲାନ୍ସକୁ ଜୋରଦାର କରିଛନ୍ତି ସବୁ ରାଜ୍ୟ । ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ଏବେ ୱେଟ୍ ଆଣ୍ଡ ୱାଚ୍ର ସମୟ ଆସିଯାଇଛି । କରୋନାର ନୂଆ ଭାରିଆଣ୍ଟ ଯେମିତି ଦେଶରେ ପ୍ରବେଶ ନହୁଏ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଜରୁରି । ଏହି ନୂଆ ଭାରିଆଣ୍ଟ ଯଦି ଡେଲଟା ସହ ମିଶିଯାଏ, ତେବେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ । ନୂଆ ଭାରିଆଣ୍ଟ ବି-୧୧.୫୨୯ ଡେଲ୍ଟାରେ ମିଶିଲେ ଏହା କ୍ଷୀପ୍ର ଗତିରେ ମାଡ଼ିଚାଲିବ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବକ୍ସୁଆନା, ଜିମ୍ବାୱେ, ନାମ୍ବିଆ, ଆସ୍ୱାତିନି ଓ ମୋଜାମ୍ବିକୋରୁ ଆସୁଥିବା ଆମେରିକାକୁ କୌଣସି ବିମାନ ଆସିପାରିବ ନାହିଁ ବୋଲି ଟ୍ରାଭେଲ କଟକଣା ଲଗାଇଛି ବାଇଡେନ୍ ପ୍ରଶାସନ । ସଂକ୍ରମଣ ସଂଖ୍ୟା ବଢ଼ିବା ଓ ଓମିକ୍ରନ୍ ବଢ଼ିବା ଆଶଙ୍କାରେ ନ୍ୟୁୟର୍କରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ଡିସେମ୍ବର ୩ରୁ ଏହା ଲାଗୁ ହେବ । ସେହିପରି ବ୍ରିଟେନ୍ ଓ ୟୁରୋପିଆନ୍ ଦେଶ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶ ଉପରେ କଟକଣା ଲଗାଇଛନ୍ତି । ନୂଆ ଭାରିଆଣ୍ଟର ପ୍ରଭାବ ବିଶ୍ୱ ବଜାର ଓ ଖେଳ ଉପରେ ପଡ଼ିଛି । ବିଶ୍ୱର ଅନେକ ଦେଶର ସେୟାର ବଜାରରେ କ୍ଷତି ସହିଛନ୍ତି ନିବେଶକ । ଜିମ୍ବାୱେରେ ହେବାକୁ ଥିବା ମହିଳା ବିଶ୍ୱକପ୍ କ୍ୱାଲିଫାଏ ମ୍ୟାଚ୍କୁ ବାତିଲ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ମହିଳା ଜୁନିୟର ବିଶ୍ୱକପ୍ ହକି ସ୍ଥଗିତ ହୋଇଛି । ଅନ୍ୟପକ୍ଷରେ ଡିସେମ୍ବରରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା କ୍ରିକେଟ୍ ସିରିଜ୍ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ନୂଆ ଭାରିଆଣ୍ଟରୁ ବିପଦ କେତେ ଭୟଙ୍କର ଏହାକୁ ଆକଳନ କରିବାରେ ଲାଗି ପଡ଼ିଛନ୍ତି ବୈଜ୍ଞାନିକ । ଟିକାକୁ ଏହି ନୂଆ ଭାରିଆଣ୍ଟ କାଟିପାରିବ କି ନାହିଁ ଏବଂ ଟିକା ଓମିକ୍ରନ୍ ଆଗରେ କେତେ ପ୍ରଭାବୀ ରହିବ ବିଶ୍ୱର ପ୍ରମୁଖ ସଂସ୍ଥା ଏବଂ ଗବେଷକମାନେ ଗବେଷଣା ଆରମ୍ଭ କରିଛନ୍ତି ।

ଓଡ଼ିଶାରେ ସତର୍କତା :

ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଓଡ଼ିଶାରେ ସତର୍କତା ଦେଖାଦେଇଛି । ଏହି ନୂଆ ଭାରିଆଣ୍ଟ କେତେ ମାରାତ୍ମକ ଏବଂ ଚିହ୍ନଟ ଦେଶରୁ କୌଣସି ବ୍ୟକ୍ତି ଓଡ଼ିଶା ଆସିଲେ ତାଙ୍କର କୋଭିଡ୍ ଟେଷ୍ଟ ହେବ । ୧୦ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । ପଜିଟିଭ୍ ଚିହ୍ନଟ ହେଲେ ଜିନୋମ ସିକ୍ୱେସିଂ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ କରୋନା ହେବା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର ଆଉ ଏକ କାରଣ ପାଲଟିଛି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୨୬ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ସ୍କୁଲ ପରିସରରେ ସଙ୍ଗରୋଧରେ ରଖାଯାଇଛି । ଏଥିସହିତ ସ୍କୁଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

Comments are closed.