କମ୍ପିବ ଶୀତ ଅଧିବେଶନ : ଶାସକ-ବିରୋଧୀ ତୟାର

65

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ତଥା ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ତେବେ ଶାସକ ବିଜୁ ଜନତା ଦଳ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ । ବିଧାୟକ ଦଳର ବେଠକ ପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ଶୀତକାଳୀନ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଗୃହରେ ଏଲପିଜି, ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଇବ । କୋଇଲା ରୟାଲଟି ଓ ଏମ୍ଏସପି ପ୍ରସଙ୍ଗ ମଧ୍ୟ ଉଠିବ । ସେହିପରି ସ୍ୱାମୀନାଥନ କମିଟି ସୁପାରିସ୍ କାର୍ଯ୍ୟକାରୀ କରିବା ପାଇଁ ପ୍ରସଙ୍ଗ ଉଠିବ । ଅନ୍ୟପକ୍ଷରେ ବିଜେପି ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ମମିତା ମେହେର ମୃତ୍ୟୁ ଘଟଣା, ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ଶିକ୍ଷା ବିପର୍ଯ୍ୟସ୍ତ, ଆବାସ ଯୋଜନା ଦୁର୍ନୀତି, ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଓ କାମ୍ଫା ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇବ ଦଳ । ସେହିପରି କଂଗ୍ରେସ ମଧ୍ୟ ଗୃହରେ ମମିତା ମେହେର ହତ୍ୟା ମାମଲା ସମେତ ଧାନମଣ୍ଡି ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି ।

ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନ ଡେି ସମ୍ବର୧ରୁ ୩୧ ତାରିଖ ଯାଏଁ ଚାଳିବ । ମୋଟ ୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ ଏବଂ ଅପରାହ୍ନ ୪ଟା ରୁ ୬ଟା ଯାଏଁ ଚାଲିବ । ଏପରି ପ୍ରତିଦିନ ୫ ଘଣ୍ଟା ·ଲିବ । ଅତିରିକ୍ତ ବଜେଟ୍ ୫ଟା ବେଳେ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ । ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ । ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ । ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି ।

ସୁରକ୍ଷା ବଳୟରେ ବିଧାନସଭା :

ଆଜି ପୂର୍ବାହ୍ନ ୧୦ଟାରେ ପୋଲିସ ଡିଜି ଅଭୟ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କମିସନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ଜାରି କରାଯାଇଛି । ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ୨୮ ଅନୁସାରେ ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯିବ । ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ସେହିପରି ଏଜି ଛକପଟୁ ପିଏମ୍ଜି ଛକଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମ୍ଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍ ଛକଆଡ଼କୁ ଯିବେ । ରାଜଭବନ ଛକପଟୁ ଏମ୍ଏଲ୍ଏ କଲୋନି ଏବଂ ରବୀନ୍ଦ୍ରମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ । ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ।

Comments are closed.