୫ ବର୍ଷରେ ଭାରତର ନାଗରିକତା ଛାଡ଼ିଲେଣି ୬ ଲକ୍ଷରୁ ଉଦ୍ଧ୍ୱର୍

41

ନୂଆଦିଲ୍ଲୀ : ଗୋଟିଏ ପଟେ କେନ୍ଦ୍ର ସରକାର ବାହାର ଦେଶରୁ ଲୋକଙ୍କୁ ନାଗରିକତା ପ୍ରଦାନ ପାଇଁ ସିଏଏ ଭଳି ଆଇନ ଆଣୁଛନ୍ତି । ହେଲେ ଅନ୍ୟପଟେ ଲକ୍ଷାଧିକ ଲୋକ ଭାରତର ନାଗରିକତା ଛାଡ଼ୁଛନ୍ତି । ବିଗିତ କିଛି ବର୍ଷ ହେଲାଣି ଲକ୍ଷାଧିକ ଭାରତୀୟ ଏପରି ପଦକ୍ଷେପ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ୨୦୨୦ରେ ଭାରତର ନାଗରିକତା ଛାଡ଼ିବା ପ୍ରକ୍ରିୟା ସମାନ୍ୟ ଧିମେଇ ଯାଇଥିଲା । ମହାମାରୀ କରୋନା ବ୍ୟାପୁଥିବା ବେଳେ ବିଦେଶ ଯାତ୍ରା ଉପରେ କଟକଣା ଲାଗିଥିଲା । ଫଳରେ ଭାରତର ନାଗରିକତା ଛାଡ଼ିବା ସଂଖ୍ୟା କମିଥିଲା । କିନ୍ତୁ ୨୦୨୧ରୁ ପୁଣି ଏହି ପ୍ରକ୍ରିୟା ବଢ଼ିବାରେ ଲାଗିଛି । ସରକାରୀ ତଥ୍ୟ ଅନୁସାରେ, ଗତ ୯ ମାସ ମଧ୍ୟରେ ଲକ୍ଷେରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ିବା ପାଇଁ ଦସ୍ତାବିଜ ଦାଖଲ କରିଛନ୍ତି ।

ସେହିପରି ବିଗତ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ି ସାରିଲେଣି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ନାଗରିକତା ଛାଡ଼ୁଥିବା ଅଧିକାଂଶ ଲୋକ ଧନୀ ଶ୍ରେଣୀର । ରିପୋର୍ଟ ଅନୁସାରେ, ୨୦୧୪ରୁ ୨୦୨୦ ମଧ୍ୟରେ ୩୫ ହଜାର ଉଦ୍ୟୋଗୀ ଭାରତର ନାଗରିକତା ଛାଡ଼ିଛନ୍ତି । ସେମାନଙ୍କ ସମ୍ପତ୍ତି ବେଶ ଅଧିକ ଥିଲା । ଚାଇନା ପରେ ଭାରତ ଏମିତି ଏକ ଦେଶ ଯେଉଁଠାରେ ଧନୀ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଦେଶ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି । କ’ଣ ପାଇଁ ଅଧିକାଂଶ ଭାରତୀୟ ନାଗରିକତା ଛାଡ଼ୁଛନ୍ତି ସେକଥା ଅଧିକାରୀମାନେ କହିନାହାନ୍ତି । କିନ୍ତୁ ୨୦୧୮ରେ ସ୍ୱରାଷ୍ଟ୍ର ମବଣାଳୟ କ’ଣ ପାଇଁ ଜଣେ ଭାରତର ନାଗରିକତା ଛାଡ଼ୁଛନ୍ତି ଓ କେଉଁ ଦେଶର ନାଗରିକତା ଗ୍ରହଣ କରିବାକୁ ଚାହୁଁଛନ୍ତି, ସେକଥା ଜଣାଇବାକୁ କହିଥିଲେ । ତଥାପି ଏହି ତଥ୍ୟକୁ ଗୋପନ ରଖାଯାଇଛି । ସିଏସ୍ ଗ୍ଲୋବାଲ ପାର୍ଟନରର ନିର୍ଦ୍ଦେଶକ ପଲ ସିଂହ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ କରିବାକୁ ଚାହୁଁଥିବା ଅଧିକାଂଶ ଲୋକ ହିଁ ଭାରତର ନାଗରିକତା ଛାଡ଼ୁଛନ୍ତି । ସେମାନେ ଭିସା ଫ୍ରି ଟ୍ରାଭେଲ ଯାତ୍ରା ନିୟମ ରଖିଥିବା ଦେଶଗୁଡ଼ିକର ନାଗରିକତା ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଭାରତୀୟମାନେ ଡୋମିନିକା ସମେତ ୟୁରୋପ, ଏସିଆ ଓ ଆଫ୍ରିକା ଦେଶଗୁଡ଼ିକର ନାଗରିକତା ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି ।

Comments are closed.