ରାଜ୍ୟରାଣୀ ଏକ୍ସପ୍ରେସ କାଶୀନଗର ଠାରେ ରହଣି ପାଇଁ ଦାବି ଜଣାଇଲେ ସାଂସଦ

61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ଠାରେ ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି ଉପସ୍ଥାପନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ସାଂସଦ ଶ୍ରୀ ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଏହି ଦାବିପତ୍ରରେ ସାଂସଦ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ, ପାରଳାଖେମୁଣ୍ଡି ମହାରାଜାଙ୍କ ରାଜାରାଜୁଡା ଅମଳରେ ୧୮୯୮ ରେଳପ୍ରକଳ୍ପର ପରିକଳ୍ପନା କରାଯାଇ ୧୯୦୦ ମସିହାରେ ନେରୋଗେଜ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ଏହା ପ୍ରଥମ ପର୍ଯ୍ୟାୟରେ ନୈପଡା ଠାରୁ ଆରମ୍ଭ କରି ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଚାଲିଥିଲା । ସେତେବେଳେ ଏହି ପ୍ରକଳ୍ପ ପାଇଁ ପାରଳାଖେମୁଣ୍ଡି ରାଜପ୍ରାସାଦ ପକ୍ଷରୁ ୭ଲକ୍ଷଟଙ୍କା ରାଜକୋଶରୁ ଖର୍ଚ୍ଚ କରାଯାଇଥିଲା । ତେବେ ଏପରି ଏକ ଐତିହାସିକ ରେଳ ପଥକୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପାରାଳାଖେମୁଣ୍ଡି ଠାରୁ ବର୍ତ୍ତମାନର ରାୟଗଡ ଜିଲ୍ଲାର ଗୁଣୁପୁର ସହରକୁ ସଂପ୍ରସାରଣ କରିଥିଲେ । ଏହି ରେଳପଥ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ରେଳଷ୍ଟେସନ ପଡୁଥିଲେ ମଧ୍ୟ ଏଥି ମଧ୍ୟରେ କାଶୀନଗର ସହର ମୁଖ୍ୟ ଅଟେ । ବର୍ତ୍ତମାନ ବ୍ରଡଗେଜରେ ପରିଣତ ହୋଇଥିଲେ ମଧ୍ୟ କାଶୀନଗର ସହର ଠାରେ ରାଜ୍ୟରାଣୀ ଏକ୍ସପ୍ରେସ ଗୁଣୁପୁର-ରାଉରକେଲା ଟ୍ରେନ ୧୮୧୧୭କୁ କାଶୀନଗର ଠାରେ ରାଜ୍ୟରାଣୀ ଏକ୍ସପ୍ରେସ ନ ରହିବା ଏକ ପରିତାପର ବିଷୟ ଅଟେ । ତେଣୁ ଏହି ଟ୍ରେନଟିକୁ କାଶୀନଗର ଠାରେ ରହିବା ପାଇଁ ଅନୁମତି ଦିଆଗଲେ କାଶୀନଗର ସହର ଅଞ୍ଚଳ ସମେତ ବହୁ ଗ୍ରାମବାସୀ ରାଜ୍ୟରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ଯାତାୟତ କରିପାରିବେ ବୋଲି ଉଲ୍ଲେଖ କରିଛନ୍ତି ।

Comments are closed.