କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ AK-47ରେ ଉଡେଇଦେବାକୁ ଧମକ

0 78

ମାମଲା ରୁଜ୍ଜୁ

ପାଟଣା ୨୯/୦୭ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଜୀବନରେ ମାରିଦେବାକୁ ଧମକ ଆସିଛି | ବିହାର ଶେଖପୁରାରୁ ତାଙ୍କୁ ଏହି ଧମକ ମିଳିଛି | ଶେଖପୁରା ଜିଲ୍ଲାର ଜଣେ ଯୁବକ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଧମକ ଦେଇଛି ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହି ଭିଡିଓରେ ରାମବିଳାସ ପାଶୱାନଙ୍କୁ ଶେଖପୁରା ପରିଷଦର ଏକ ୱାର୍ଡ କାଉନସିଲର AK-47 ରେ ଉଡେଇଦେବାକୁ ଧମକ ଦେଇଛି | ଏହି ଭିଡିଓରେ ସେ ଚିରାଗ ପାଶୱାନ ଓ ରାମବିଳାସ ପାଶୱାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଉଭୟଙ୍କୁ ଗାଳିଗୁଲଜ ମଧ୍ୟ କରୁଛି |

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଶେଖପୁରା ନଗର ପରିଷଦର ୧୦ ନମ୍ବର ୱାର୍ଡର କାଉନସିଲର ସଞ୍ଜୟ ଯାଦବ କେନ୍ଦ୍ରମନ୍ତ୍ରୀଙ୍କୁ ନାନା ଗାଳିଗୁଲଜ କରିଛନ୍ତି | ଗରିବଙ୍କ ରାସନ କାର୍ଡ ହୋଇନଥିବା ମାମଲାକୁ ନେଇ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି | ଲୋଜପା ଜିଲ୍ଳାଧ୍ୟକ୍ଷ ଭିଡିଓ ଦେଖିବା ମାତ୍ରେ ତତ୍କାଳ ସାମ୍ବାଦିକ ସମ୍ମିଳନୀ ଡାକି ଆପତ୍ତି କରିଥିଲେ ଏବଂ କାଉନସିଲରକୁ ତୁରନ୍ତ ଗିରଫ କରିବାକୁ ପୋଲିସ ପ୍ରଶାସନକୁ ଦାବି କରିଥିଲେ | 

ଜଣେ ଲୋଜପା କର୍ମୀ ଏହି ମାମଲାରେ ଅନୁସୂଚିତ ଜାତି ଥାନାରେ ଏସସି/ଏସଟି ଆକ୍ଟ ଆଧାରରେ ମାମଲା ରୁଜ୍ଜୁ କରିଛନ୍ତି | ମାମଲା ଆଗକୁ ବଢିଥିବା ଦେଖି ମନ୍ତ୍ରୀଙ୍କୁ ଧମକ ଦେଇଥିବା କାଉନସିଲର ସଞ୍ଜୟ ଯାଦବ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି | ପ୍ରଥମେ ସେ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ | ସେ କହିଥିଲେ ନିଜ ୱାର୍ଡର ଶହ ଶହ ଲୋକଙ୍କ ରାସନ କାର୍ଡ ପାଇଁ ସେ ଆବେଦନ କରିଥିଲେ କିନ୍ତୁ ସମସ୍ତଙ୍କ ଆବେଦନ ବିନା କାରଣରେ ଖାରଜ କରାଯାଇଥିଲା | ଏହି ମାମଲାକୁ ନେଇ ବରଦବାସୀ ପକ୍ଷପାତ ଅଭିଯୋଗ କରିଥିଲେ ତାଙ୍କୁ ନାନା କଥା କହିଥିଲେ | ଏଥିରେ କ୍ଷୁବ୍ଧ ହୋଇ ଜନତାଙ୍କ ସମ୍ମୁଖରେ ତାଙ୍କ ମୁହଁରୁ ଏହିସବୁ ଗାଳିଗୁଲଜ ଓ ଧମକ ବାହାରି ଯାଇଥିଲା ବୋଲି ସ୍ୱୀକାର କରିଛନ୍ତି | ସେ ରାମବିଳାସ ପାଶୱାନ ଓ ଚିରାଗ ପାଶୱାନଙ୍କୁ ବହୁତ ଇଜ୍ଜତ କରନ୍ତି ବୋଲି କହିଛନ୍ତି ଏବଂ ସେ ନିଜକୁ ଲୋଜପାର ଜଣେ କର୍ମଠ କର୍ମୀ ବୋଲି ମଧ୍ୟ କହିଛନ୍ତି | 

Leave A Reply

Your email address will not be published.