ଚାଷୀର ଆର୍ତ୍ତଚିକ୍ରାର

0 63

ଏବେ ଆନ୍ଦୋଳନରେ ଦେଶର ଅନ୍ନଦାତା । କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଛକ୍କାପଞ୍ଝା ଜୋର୍ ଧରିଛି । ଉଭୟ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି । ବାରମ୍ବାର ଏଥିନେଇ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଏଯାଏଁ ବାହାରିନାହିଁ । ସରକାର କୃଷି ଆଇନ୍ରେ ସଂଶୋଧନ ଆଣିବା ପାଇଁ ଲାଗିଥିବା ବେଳେ ଆଇନ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି ଚାଷୀ ସଂଗଠନ । ଆସ୍ତେ ଆସ୍ତେ ଏହି ଆନ୍ଦୋଳନ ଦିଲ୍ଲୀରୁ ପଲ୍ଲୀ ଯାଏଁ ବ୍ୟାପିବାରେ ଲାଗିଛି । ସୋମବାର ଚାଷୀ ସଂଗଠନମାନେ ଅନଶନରେ ବସିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏଥିପାଇଁ ରାଜସ୍ଥାନରୁ ଦିଲ୍ଲୀକୁ ହଜାର ହଜାର ଚାଷୀ ଆସି ଡେରା ପକାଇଛନ୍ତି । ୧୮ଦିନରେ ଚାଷୀ ଆନ୍ଦୋଳନ ପହଞ୍ôଚଥିବାବେଳେ ଏବେ ସେମାନଙ୍କ ଶକ୍ତି ବଢ଼ିବାରେ ଲାଗିଛି । ଶନିବାର ସମସ୍ତ ଟୋଲ୍ପ୍ଲାଜା ଆଗରେ ଚାଷୀମାନେ ଆନ୍ଦୋଳନ କରିଥିଲେ । ସାହାଜାହାନପୁର ଠାରେ ହଜାର ହଜାର ଚାଷୀ ଏକାଠି ହୋଇ ଦିଲ୍ଲୀ ଚଲୋ ଅଭିଯାନ ଚଳାଇଛନ୍ତି । ପାର୍ଲାମେଣ୍ଟରେ ନୂଆ କୃଷି ଆଇନ୍ ଆସିବା ପୂର୍ବରୁ ଚାଷୀମାନେ ଏହାକୁ ବିରୋଧ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଜୋର୍ ଜବରଦସ୍ତ ଏହି ଆଇନ୍କୁ ଉଭୟ ସଂସଦରେ ପାସ୍ କରାଇଥିଲେ । ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି । ଯଦି ସେତେବେଳେ ଚାଷୀନେତାଙ୍କ ସହିତ ଆଲୋଚନା କରି ଉକ୍ତ ଆଇନ୍କୁ ପାସ୍ କରାଯାଇଥାନ୍ତା ତେବେ ଆଜି ଏଭଳି ଅଘଟଣ ଘଟିନଥାନ୍ତା । ଚାଷୀ ହେଉଛି ଦେଶର ମେରୁଦଣ୍ଡ । କିନ୍ତୁ ତା’ ପ୍ରତି ସବୁବେଳେ ଅବିଚାର ହୋଇଆସିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଥିବା ସୁନା ଫସଲର ମୂଲ ସେ ପାଉନାହିଁ । ସର୍ବଦା ଅବହେଳିତ ଓ ଆର୍ଥିକ ଅନଟନରେ ସେ କାଳତିପାତ କରୁଛି । ପ୍ରକୃତରେ ଯଦି ଦେଖାଯାଏ ଆନ୍ଦୋଳନ ତୀବ୍ର ଓ ଜୋର୍ଦାର ହେବାରୁ ଅନ୍ୟ ରାଜନୈତିକ ଦଳମାନେ ଏବେ ସେଥିରେ ଧିରେ ଧିରେ ସାମିଲ ହେଉଛନ୍ତି । ମାତ୍ର କୌଣସି ରାଜନୈତିକ ଦଳର ଚାଷୀଙ୍କ ପ୍ରତି ସେତେଟା ଦରଦ ନଥାଏ । ଯଦି ଦରଦ ଥାନ୍ତା ତେବେ ଦେଶରେ ଚାଷୀ ଆଜି ଅବହେଳିତ ଓ ନିଷ୍ପେସିତ ହେଉନଥାନ୍ତା । ଏବେ ଗୋଳିଆ ପାଣିରୁ ଫାଇଦା ହାସଲ କରିବା ପାଇଁ ଅନ୍ୟ ରାଜନୈତିକ ଦଳମାନେ ବ୍ୟଗ୍ର ହୋଇଉଠିଛନ୍ତି । ସମସ୍ତେ ଚାଷୀ ସହିତ ଅଛନ୍ତି ବୋଲି କହିବା ଆରମ୍ଭ କଲେଣି । କେହି ଅନୁମାନ କରୁନଥିଲେ ଯେ ଚାଷୀ ସଂଗଠନମାନେ ଏତେ ସଶକ୍ତ ହୋଇ ଆନ୍ଦୋଳନକୁ ଜୋର୍ଦାର କରିବେ ବୋଲି । ଦୀର୍ଘ ୧୮ଦିନ ହେଲା ଭୋକ ଉପାସରେ ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି ହଜାର ହଜାର ଚାଷୀ । ଚାଷୀଙ୍କ କରୁଣ ଚିକ୍ରାର କାହା କାନରେ ପଡ଼ୁନାହିଁ । ଏହି ଆନ୍ଦୋଳନର ନିଷ୍କର୍ସ ଯେ ବାହାରିବ ଏବଂ ଚାଷୀ ତା’ର ହକ୍ ପାଇବ ଏହି ଆଶାରେ ସେମାନେ ଆନ୍ଦୋଳନକୁ ଜୋର୍ଦାର କରିଛନ୍ତି । ଆଗକୁ ଏହି ଆନ୍ଦୋଳନ କେଉଁ ଦିଗକୁ ଯାଉଛି ଚାଷୀ ତା’ର ହକ୍ ପାଉଛି କି ନାହିଁ ତାହା ଏବେଠାରୁ କହିବା ସମ୍ଭବ ନୁହେଁ । କାରଣ ରାଜନୀତି ଭଳି ଅଙ୍କକୁ ସାଧାରଣ ଚାଷୀ କଷିବା ସହଜ ନୁହେଁ । ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ଅନ୍ୟ ରାଜନୈତିକ ଦଳ ପ୍ରକୃତ ହୃଦୟ ଦେଇ ଚାଷୀଙ୍କ ଏହି ଆର୍ତ୍ତଚିକ୍ରାରକୁ ହୃଦୟଙ୍ଗମ କରି ସେମାନଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ଆଗେଇ ଆସିବା ଦରକାର । ନଚେତ୍ ଏହାର ପରିଣାମ ଯେ ଭୟଙ୍କର ହେବ ଏଥିରେ ଦ୍ୱିମତ ନାହିଁ ।

Leave A Reply

Your email address will not be published.