ଚାଷୀ କେତେ ସ୍ୱଚ୍ଛଳ?

0 69

ଚାଷୀଙ୍କ ନିରନ୍ତର ଆନ୍ଦୋଳନ ମଧ୍ୟରେ ଭାରତ ସରକାର ଜୋର ଦେଉଛନ୍ତି ଯେ ନୂଆ କୃଷି ନୀତି ଚାଷୀଙ୍କ ଜୀବନରେ ଉନ୍ନତି ଆଣିବ । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ ହେବ । କିନ୍ତୁ କୌଣସି ପ୍ରମାଣ ଅଛି କି ଚାଷୀଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଛି? ଗତ କିଛିବର୍ଷ ମଧ୍ୟରେ ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୧୭ରେ ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି ୨.୫%ରୁ ସାମାନ୍ୟ କମ୍ ଥିଲା, ଯାହା ୨୦୧୯ ରେ ପ୍ରାୟ ୭.୭%କୁ ବୃଦ୍ଧି ପାଇଛି । କିନ୍ତୁ ମଜୁରୀ ପ୍ରାପ୍ତରେ କୌଣସି ଲାଭ ନାହିଁ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ୨୦୧୩ରୁ ୨୦୧୬ ମଧ୍ୟରେ ପ୍ରକୃତ ଅର୍ଥରେ କୃଷକଙ୍କ ଆୟ ମାତ୍ର ୨ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ରେ ଏକ ସରକାରୀ କମିଟି ରିପୋର୍ଟ କହିଛି ଯେ ୨୦୧୫ ତୁଳନାରେ ୨୦୨୨ରେ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ କୃଷକମାନଙ୍କୁ ୧୦.୪ ପ୍ରତିଶତ ହାରରେ ବୃଦ୍ଧି କରିବାକୁ ପଡିବ । ଏହା ବ୍ୟତୀତ ସରକାରଙ୍କୁ କୃଷି କ୍ଷେତ୍ରରେ ୬.୩୯ ବିଲିୟନ ଟଙ୍କା ବିନିଯୋଗ କରିବାକୁ ପଡିବ ବୋଲି ମଧ୍ୟ କୁହାଯାଇଛି । ୨୦୧୧-୧୨ରେ ସରକାରଙ୍କ ମୋଟ ବିନିଯୋଗ ମାତ୍ର ୮.୫ ପ୍ରତିଶତ ଥିଲା । ୨୦୧୩-୧୪ରେ ଏହା ୮.୬ ପ୍ରତିଶତକୁ ବୃଦ୍ଧି ପାଇଲା ଏବଂ ଏହା ପରେ ଏହା ହ୍ରାସରେ ରେକର୍ଡ କଲା । ଅର୍ଥାତ ୨୦୧୫ ପରଠାରୁ ଏହି ବିନିଯୋଗ ୬ରୁ ୭ପ୍ରତିଶତକୁ ହ୍ରାସ ପାଇଛି । ୨୦୧୬ ମସିହାରେ ଜାତୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ଏକ ସରକାରୀ ସର୍ଭେରୁ ଜଣାପଡିଛି ଯେ ତିନି ବର୍ଷ ମଧ୍ୟରେ କୃଷକଙ୍କ ଋଣ ପ୍ରାୟ ଦ୍ୱିଗୁଣିତ ହୋଇଛି । ଗତ କିଛିବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କୃଷକମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସାର ଏବଂ ମଞ୍ଜି ଉପରେ ସବସିଡି ଏବଂ କିଛି ଋଣ ଯୋଜନା ଭଳି ପଦକ୍ଷେପ ଗ୍ରହଣ କରିବା ଭଳି ଉଦ୍ୟମ କରାଯାଇଛି । ୨୦୧୯ରେ, କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୮ କୋଟି ଲୋକଙ୍କ ନଗଦ ସ୍ଥାନାନ୍ତରରୁ ସହାୟତା ନିଆଯିବ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଦେଶର ୬ଟି ରାଜ୍ୟ ପୂର୍ବରୁ ନଗଦ ସ୍ଥାନାନ୍ତର ଯୋଜନା ଚଳାଉଥିଲେ । କୃଷକମାନଙ୍କୁ ସିଧାସଳଖ ସହାୟତା କରିବା ପାଇଁ ସରକାର ଏହି ଯୋଜନା ଆଣିଥିଲେ, ଏହା ସଠିକ୍ ଦିଗରେ ଏକ ସଠିକ୍ ପଦକ୍ଷେପ ଥିଲା । କିନ୍ତୁ ଏହି ଯୋଜନାଗୁଡିକ କାମ କରିଛି କି ନାହିଁ ତାହାର ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ । ସ୍ୱାଧୀନତାର ୭୪ ବର୍ଷ ପରେ ବି ସବୁବର୍ଗର ଆର୍ଥିକ ଉନ୍ନତି ହୋଇଥିବା ବେଳେ ଚାଷୀର ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ତା’ର ଏକମାତ୍ର କାରଣ ହେଲା ଚାଷୀ ପ୍ରତି ଅଣଦେଖା । କେବଳ ସେମାନଙ୍କ ପ୍ରତି ରାଜନୈତିକ ଦଳଗୁଡ଼ିକର କୁମ୍ଭୀର କାନ୍ଦଣା ଏବଂ ଇଚ୍ଛାଶକ୍ତି ଅଭାବ ଏହାର ମୂଳ କାରଣ । କେବଳ ନିର୍ବାଚନ ଆସିଲେ ଚାଷୀଙ୍କ କଥା ନେତାଙ୍କର ମନେପଡ଼େ । ଆଉ ସେମାନେ ସେହି ସମୟରେ ଚାଷୀଙ୍କ ଘରେ ରହିବା, ଖାଇବା ଠାରୁ ଆରମ୍ଭ କରି ହଳ କରିଥିବାର ନଜିର ରହିଛି । ଆଉ ସେହି ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଚାଷୀ ପ୍ରତି କେତେ ଦରଦ ତାହା ଲୋକଙ୍କୁ ଦେଖାଇଥାନ୍ତି । କିନ୍ତୁ ପ୍ରକୃତରେ ସେମାନେ ଯଦି ଚାଷୀ ଓ ଚାଷକୁ ଆଜି ଗୁରୁତ୍ୱ ଦେଇଥାନ୍ତେ ତେବେ ଶୀତ, କାକରରେ ଚାଷୀ ନିଜର ପରିବାର ପିଲାଛୁଆଙ୍କୁ ଛାଡ଼ି ରାଜରାସ୍ତାରେ ରାତି ବିତାଉନଥାନ୍ତେ… ।

Leave A Reply

Your email address will not be published.