ଅଶାନ୍ତ ଆମେରିକା

0 65

ଆମେରିକାରେ ଦେଖାଦେଇଛି ଅସ୍ଥିରତା । ଆଉ ଏହି ଅସ୍ଥିରତା ପଛରେ ଯେ କ୍ଷମତାଲୋଭ ରହିଛି ତାହା ସ୍ପଷ୍ଟ ଦୃଶ୍ୟମାନ । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପଦ ନଛାଡ଼ିବା ପାଇଁ ଯେଭଳି ହିଂସା ଭିଆଇଲେ ତାହା ତାଙ୍କର ନେତୃତ୍ୱକୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ ବରଂ ସେ ଯେ ଜଣେ ଦୁର୍ଦ୍ଦଷ ଶାସକ ତାହା ପ୍ରମାଣିତ କରିଦେଇଛି । କ୍ୟାପିଟଲ ଉପରେ ଟ୍ରମ୍ପଙ୍କ ସମର୍ଥଙ୍କ ଆକ୍ରମଣରେ ଆମେରିକା ଗଣମାଧ୍ୟମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଉତ୍ତେଜକ ଭାଷଣ କ୍ୟାପିଟଲ ଉପରେ ହିଂସାତ୍ମକ ଆକ୍ରମଣକୁ ଉସକାଇଛି । ଦେଶ ଲାଗି ସେ “ବିପଦ’ ଓ ସେହି ପଦରେ ଅବସ୍ଥାପିତ ରହିବା ଲାଗି ତାଙ୍କର ଯୋଗ୍ୟତା ନାହିଁ ବୋଲି ଏଥିରେ ଦର୍ଶାଯାଇଛି । ତାଙ୍କୁ ତୁରନ୍ତ ହଟାଯିବା ଦରକାର ଓ ତାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆମେରିକା ଗଣମାଧ୍ୟମ ଦାବି କରିଛି ।ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ କ୍ୟାପିଟଲ ଉପରେ ଯେଭଳି ଆକ୍ରମଣ କରିଛନ୍ତି ତାହାକୁ କେବଳ ଆମେରିକା କାହିଁକି ବରଂ ସମଗ୍ର ବିଶ୍ୱ ନିନ୍ଦା କରିଛି । ପୋଲିସ ସହ ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇ ଏବେବି ଚିକିତ୍ସାଧୀନ ଅଛନ୍ତି । ଟ୍ରମ୍ପଙ୍କ ଦଶଦ୍ରୋହୀ ଭାଷଣ ହଜାର ହଜାର ଲୋକଙ୍କୁ ଆମେରିକା କ୍ୟାପିଟଲ ହାଉସ୍ ଓ ସିନେଟରେ ଭଙ୍ଗାରୁଜା କରିବାକୁ ପ୍ରେରିତ କରିଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ସମ୍ପାଦକୀୟରେ ଉଲ୍ଲେଖ କରିଛି । ଯେଉଁଥିଲାଗି ରାଷ୍ଟ୍ରପତି ଉତ୍ତରଦାୟୀ ଓ ଏଥିନିମନ୍ତେ ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଅଥବା ଅପରାଧିକ ମୋକଦ୍ଦମା କରାଯିବା ଦରକାର ବୋଲି ସମ୍ପାଦକୀୟରେ କୁହାଯାଇଛି । କେବଳ ରାଷ୍ଟ୍ରପତି ନୁହନ୍ତି ତାଙ୍କ ସମର୍ଥଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାରେ କ୍ୟାପିଟଲ ପୋଲିସର ବିଫଳତାର ଯାଞ୍ଚ ହେବା ମଧ୍ୟ ଜରୁରି ବୋଲି କୁହାଯାଇଛି । ଏହା କେବଳ ୨୦୨୦ ନିର୍ବାଚନ ଫଳାଫଳ ଉପରେ ଆକ୍ରମଣ ନୁହେଁ, ଏହା ଏକ ଉଦାହରଣ ଯାହା ଭବିଷ୍ୟତର ନିର୍ବାଚନ ଫଳାଫଳର ସମାନ ବିରୋଧ ଲାଗି ଏକ ଅନୁମତି ପତ୍ର ବୋଲି କୁହାଯାଇଛି । ଏହାକୁ ସ୍ପଷ୍ଟ ପ୍ରତ୍ୟାଖାନ କରାଯିବା ଆବଶ୍ୟକ ଓ ଅନୁମୋଦିତ ଆଚରଣରୁ ବାହାରେ ରଖାଯିବା ଉଚିତ । ଆମେରିକାର ବହୁ ଗଣମାଧ୍ୟମ ଟ୍ରମ୍ପଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ତାଙ୍କୁ ଜଣେ ଦୂରାଚାରୀ ନେତା ତଥା ଦେଶର ଅନିଷ୍ଟକାରୀ ବୋଲି ଉଲ୍ଲେଖ କରିଛନ୍ତି । ବାସ୍ତବିକ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବେ ଯେଉଁ ଆମେରିକା ନିଜକୁ ଛାତି ଫୁଲାଇ କହୁଥିଲା ଏବେ ଆମେରିକାର ଏତାଦୃଶ କାର୍ଯ୍ୟ ତାକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । ପରିସ୍ଥିତି ଏପରି ହେଲାଣି ଯେ କେତେବେଳେ କେଉଁ ମୁହୂର୍ତ୍ତରେ କ’ଣ ବି ହୋଇଯାଇପାରେ । ଯେଉଁ ଦେଶର ଶାସକ କ୍ଷମତା ଚାଲିଯିବା ପରେ କ୍ରୋଧାନ୍ୱିତ ହୋଇ ହିଂସାତ୍ମକ ଆଚରଣ କରିବା ପାଇଁ ନିଜ ସମର୍ଥକଙ୍କୁ ଉସୁକାନ୍ତି ସେଭଳି ଶାସକ ଦେଶ ପାଇଁ ଯେ କେତେ ବିପଦ ତାହା ଆପଣମାନେ ବୁଝିପାରୁଥିବେ ।

Leave A Reply

Your email address will not be published.