ବଂଶଧାରାରୁ ବାଲି ଉଠାଣକୁ ନେଇ ଉତ୍ତେଜନା

0 70

ପାରଳାଖେମୁଣ୍ଡି,୧୨ା୦୧: ଗଜପତି ଜିଲ୍ଲା ବଂଶଧାରା ନଦୀପଠାରୁ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଠାରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଛି । ଲିଜଧାରୀମାନେ ସରକାରୀ ନିୟମକୁ ଅମାନ୍ୟ କରି ୯ରୁ ୧୦ ଫୁଟ ଗଭୀର ଗାତ କରି ବାଲି ଉତ୍ତୋଳନ କରୁଛନ୍ତି । ଯଦ୍ୱାରା ନଦୀର ଗତିପଥ ପରିବର୍ତ୍ତ ନ ହୋଇ ଧନ ଜୀବନ ବିପନ୍ନ ହେବାରେ ଲାଗିଛି । ଏଭଳି ବେଆଇନ ଭାବେ କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତର ପୁରୁଟିଗୁଡା ଗ୍ରାମ ନଦୀ ଘାଟରୁ ବାଲି ଉଠାଣକୁ ବିରୋଧ କରି ବାଲି ଉଠାଇ ନେବା ସମୟରେ ଗ୍ରାମବାସୀ ପ୍ରାୟ ୪୦ଟି ଟ୍ରାକ୍ଟର ଅଟକାଇ ରଖିଛନ୍ତି । ବାଲିଘାଟରୁ ବାଲି ଲୋଡ୍ କରି ଟ୍ରାକ୍ଟର ଗୁଡିକ ରାସ୍ତାକଡରେ ପଡି ରହିଛି । ଡ୍ରାଇଭର ଓ ହେଲପରଙ୍କୁ ପଚାରିବାରୁ ସେମାନେ କହିଛନ୍ତି,ଟ୍ରାକ୍ଟର ପିଛା ୧୨୦୦ ଟଙ୍କା ଦେଇ ଆର୍ ଫର୍ମ ନେଇଥାଉ । କିନ୍ତୁ ଆଜି ସେମାନେ ପଇସା ଦେଲେ ମଧ୍ୟ ଫର୍ମ ଦେଉନାହାଁନ୍ତି ଏବଂ ଆର୍ ଫର୍ମ ନଥାଇ ସେମାନେ ଗଲେ ତହସିଲ କିମ୍ବା ପୋଲିସ ହାବୁଡରେ ପଡି ୪୦ରୁ ୫୦ ହଜାର ଜରିମାନା ସହ ଜେଲଦଣ୍ଡ ଭୋଗିବାର ଭୟ ଅଛି । ତେଣୁ ଏଠାରେ ପଡି ରହିଛୁ ବୋଲି ସେମାନ କହିଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ଗ୍ରାମର ୨ଜଣ ବାଳକ ଗାଧୋଇ ଯିବା ସମୟରେ ବାଲି ଲିଜଧାରୀ ବାଲି ନେଇ କରିଥିବା ଗାତ ମଧ୍ୟରେ ଫସି ଯାଇଥିଲେ । ବୁଡି ଯାଉଥିବା ବାଳକଙ୍କ ଚିକ୍ରାର ଶୁଣି ନଦୀ ତଟରେ ଲୁଗା ସଫା କରୁଥିବା ଜଣେ ଧୋବା ସେମାନଙ୍କୁ ଉଦ୍ଧାର କରିଥିଲେ । ଜଳସ୍ତର ଠାରୁ ଅଧିକ ଗଭୀର କରି ବାଲି ଉଠାଇବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ଲିଜଧାରୀ ଏହାକୁ ଉଲଙ୍ଘନ କରି ୯ରୁ ୧୦ ଫୁଟ ଗଭୀର ଗାତ କରି ବାଲି ଉତ୍ତୋଳନ କରୁଛନ୍ତି । ଏହାଦ୍ୱାରା ପରିବେଶ ନଷ୍ଟ ହେଉଥିବା ନେଇ ସ୍ଥାନୀୟ ପରିବେଶବିତ୍ତ୍ ଓ ଜନ ପ୍ରତିନିଧି ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଏହାକୁ ସୁଯୋଗ ଦେଉଛି । ଏଭଳି ବେଆଇନ କାମକୁ କାହିଁକି ପ୍ରଶ୍ରୟ ଦିଆଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଲିଜଧାରୀଙ୍କୁ ତହସିଲ ତରଫରୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ବାଲି ଉଠାଣ ପାଇଁ ଅନୁମତି ଦିଆଯାଇଥାଏ । କିନ୍ତୁ ଲିଜଧାରୀ ସେଠାରୁ ବାଲି ନ ଉଠାଇ ନିଜ ସୁବିଧା ପାଇଁ ଅନ୍ୟ ଜାଗାରୁ ବାଲି ଉତ୍ତୋଳନ କରୁଛନ୍ତି । ଅନ୍ୟପକ୍ଷରେ କେବଳ ଖାଣ୍ଡବା ଓ କିତ୍ତାଙ୍ଗୀ ବାଲିଘାଟରେ ମେସିନ୍ ଦ୍ୱାରା ବାଲି ଉଠାଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ପୁରୁଟିଗୁଡା ବାଲିଘାଟରେ ମେସିନ ଦ୍ୱାରା ବାଲି ଉଠାଣ ହେଉଥିବା ଜାଣି ମଧ୍ୟ ପ୍ରଶାସନ ଚୁପ କାହିଁକି ବୋଲି ପ୍ରଶ୍ନ ଉଠୁଛି । ପୂର୍ବତନ ବିଜେଡି ବ୍ଲକ ସଭାପତି ତଥା ଖାଣ୍ଡବା ଗ୍ରାମ ପଞ୍ଚାୟତ ସରପଞ୍ଚ ଆର୍.ସତୀଶ କହିଛନ୍ତି, ସରକାରଙ୍କ ଦ୍ୱାରା ରାଜସ୍ୱ ଆଦାୟ ପାଇଁ ନଦୀଘାଟ ନିଲାମକୁ ବିରୋଧ କରୁନାହୁଁ । କିନ୍ତୁ ଏହା ପରିବେଶ ନଷ୍ଟ ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲେ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ବାଲିଘାଟ ବନ୍ଦ କରିବାକୁ ପଛାଇବୁ ନାହିଁ ।

Leave A Reply

Your email address will not be published.