ଜାଲିଆତି ଯୋଗୁଁ ଏମ୍ଭିଆଇଙ୍କ ନାମରେ ମାମଲା

0 76


ପାରଳାଖେମୁଣ୍ଡି,୨୩ା୦୧: ଏକ କାର କାଗଜପତ୍ର ମାମଲାରେ ଜାଲିଆତିରେ ଜଡିତ ଗଜପତି ଏମ୍ଭିଆଇଙ୍କ ନାମରେ ଏସ୍ଡିଜେଏମ୍ କୋର୍ଟର ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଥାନାରେ ଏକ ଜାଲିଆତି ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡିର ଜଣେ ବ୍ୟବସାୟୀ ଏକ ବ୍ୟାଙ୍କ୍ରୁ ଋଣ ନେଇ ଏକ କାର୍ (ଓଡି-୨୦ବି-୧୦୦୧) କିଣି ୨୦୧୯ ସେପ୍ଟେମ୍ବର ୧୬ରେ ଗଜପତି ଜିଲ୍ଲା ଆରଟିଓଙ୍କ ନିକଟରେ ପଞ୍ଜୀକରଣ କରାଇଥିଲେ । ବ୍ୟକ୍ତିଗତ ବ୍ୟବହାର ପାଇଁ କରାଯାଇଥିବା ପଞ୍ଜୀକରଣ ଅନୁସାରେ ଆର୍ଟିଓ ଏହି ଗାଡିର ୨୦୩୪ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଫିଟ୍ନେସ୍ ପ୍ରଦାନ କରିଥିଲେ । କିନ୍ତୁ ଏହାକୁ ସମ୍ପୃକ୍ତ ବ୍ୟବସାୟୀ ବ୍ୟକ୍ତିଗତ ବ୍ୟବହାର କରିବା ପରିବର୍ତ୍ତେ ଭଡା ସୂତ୍ରରେ ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ । ଏହା ଜଣାପଡିବା ପରେ ପ୍ରନୋଜ ସୂଚନା ଆଇନ୍ ଅଧିକାର ବଳରେ ଏହାର ତଥ୍ୟ ମାଗିଥିଲେ । ତେବେ ଏହା ଜଣାପଡିବା ପରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏମ୍ଭିଆଇ ବସନ୍ତ ମହାପାତ୍ର ଏହାକୁ ଜାଲିଆତି କରି ୨୦୧୯ମସିହା ସେପ୍ଟେମ୍ବର ୧୯ତାରିଖରେ ପୁନଃ ପଞ୍ଜୀକରଣ କରିବା ଭଳି ଦର୍ଶାଇ ଏହାକୁ ବ୍ୟବସାୟୀକ ବ୍ୟବହାର ପାଇଁ ଯୋଗ୍ୟ କରିଥିଲେ । ତେବେ ବ୍ୟାଙ୍କ ଋଣ ଥିବା ସତ୍ୱେ ବ୍ୟାଙ୍କର ବିନା ପରାମର୍ଶରେ ଏହା ହୋଇଥିବା ପ୍ରନୋଜ ଅଭିଯୋଗ କରିଛନ୍ତି । ଏ ନେଇ ପ୍ରନୋଜ ୨୦୨୦ ମାର୍ଚ୍ଚ ୧୭ତାରିଖରେ ଏକ ୧ସିସି କୋର୍ଟରେ ଦାଖଲ କରିଥିଲେ । ଏହାର ଶୁଣାଣି କରି ଏସ୍ଡିଜେଏମ୍ କୋର୍ଟ ତୁରନ୍ତ ଏ ନେଇ ଏକ ମାମଲା ରୁଜୁକରି ତଦନ୍ତ କରିବା ପାଇଁ ପାରଳାଖେମୁଣ୍ଡି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟର ନିର୍ଦ୍ଦେଶ ପରେ ସମ୍ପୃକ୍ତ ଏମ୍ଭିଆଇଙ୍କ ବିରୁଦ୍ଧରେ ଏ ନେଇ କେସ ନଂ ୧୪/୨୧ ଧାରା ୪୬୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ପ୍ରକାଶ କରିଛନ୍ତି । ଏ ନେଇ ଏମ୍ଭିଆଇ ବସନ୍ତ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କୋର୍ଟର ଆଦେଶ ଓ ପୋଲିସର ତଦନ୍ତକୁ ମୁଁ ସ୍ୱାଗତ କରୁଛି । ଏହି ଘଟଣାରେ ମୋର କୌଣସି ସମ୍ପୃକ୍ତି ନାହିଁ । କାର୍ କାଗଜପତ୍ର ବଦଳାଇବା କାମ ଆର୍ଟିଓଙ୍କ ଅଟେ । ମୁଁ ଆର୍ଟିଓ ନୁହେଁ । ଆର୍ଟିଓଙ୍କ ଅଧୀନସ୍ଥ ଏମ୍ଭିଆଇ ଭାବେ ଆର୍ଟିଓଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ ତୁଲାଇ ଆସୁଅଛି । ତଥାପି ତଦନ୍ତ ହେଲେ ଏ ନେଇ ପ୍ରକୃତ ଓ ସତ୍ୟ ଘଟଣା ଲୋକଲୋଚନକୁ ଆସିପାରିବ ।

Leave A Reply

Your email address will not be published.