କରୋନା କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ

0 65

କରୋନା ମହାମାରୀ କେବଳ ଲୋକଙ୍କ ଜୀବନ ନେଇନି । ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ଶକ୍ତ ପ୍ରହାର କରିଛି । ଅନେକ ଲୋକ ରୋଜଗାର ହରାଇ ଦୁଃଖ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । କିନ୍ତୁ କେତେଜଣଙ୍କ ପାଇଁ ଏହା ଅଭିଶାପ ପରିବର୍ତ୍ତେ ଆଶିର୍ବାଦ ପାଲଟିଛି । କରୋନା ଯୋଗୁଁ ବିଶ୍ୱରେ ୧୨.୪ କୋଟି ଲୋକ ଦାରିଦ୍ର୍ୟତା ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାଯାଇଛି । ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟରୁ ଗତବର୍ଷ ଜୁନ୍ରେ ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ୱବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ନେଇ ଏକ ଆକଳନ କରିଥିଲା । ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଥିଲା । କିନ୍ତୁ ଚଳିତମାସରେ ଏହାର ସଦ୍ୟତମ ଆକଳନରୁ ବିଶ୍ୱରେ ପ୍ରାୟ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି । ଗତ ୨୦ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହ୍ରାସ ଦିଗରେ ହୋଇଥିବା ଅଗ୍ରଗତି ପ୍ରତି କରୋନା କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି । କିନ୍ତୁ ଏହି କରୋନା ଅର୍ଥନୈତିକ କ୍ଷେତ୍ରରେ ଏକ ବିରାଟ ଅସନ୍ତୁଳନ ଆଣିଦେଇଛି । କରୋନା ଯୋଗୁଁ ଧନୀ ଅଧିକ ବିତ୍ତଶାଳୀ ହେବା ସହିତ ଗରିବ ଦାରିଦ୍ର୍ୟ ମଧ୍ୟକୁ ଆହୁରି ଠେଲି ହୋଇଯାଇଛି । ଯାହା ଅକ୍ସଫାମ୍ ସର୍ଭେରୁ ଜଣାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଲକ୍ଡାଉନ୍ ଯୋଗୁଁ ଗରିବ ରୋଜଗାରର ମାଧ୍ୟମକୁ ହରାଇବା ସହିତ ମଧ୍ୟବିତ୍ତମାନେ ରୋଜଗାର ହରାଇ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି । ମାତ୍ର ଧନୀଙ୍କ ସଂପତ୍ତି ଆହୁରି ବଢ଼ିବାରେ ଲାଗିଛି । ଆମ ଦେଶରେ ମୁଖ୍ୟତଃ ୧୧ଜଣ ଆରବପତି କରୋନା କାଳରେ ଏମିତି ଲାଭ କଲେ ଯେ ତାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ଶିବ ନାଦାର, ସାଇରସ୍ ପୁନ୍ୱାଲା, ଉଦୟ କୋଟାକ୍, ଅଜୀମ୍ ପ୍ରେମ୍ଜୀ, ସୁନୀଲ ମିତ୍ତଲ, ରାଧାକ୍ରିଷ୍ଣନ୍, କୁମାର ମଙ୍ଗଲମ୍ ବିର୍ଲା ଓ ଲକ୍ଷ୍ମୀ ମିତ୍ତଲଙ୍କ ସଂପତ୍ତି ୩୫ ପ୍ରତିଶତ ବଢ଼ିଗଲା । ଅନ୍ୟପଟରେ ଏହି ସମୟରେ ଦେଶର ୮୪% ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲା । ଏପ୍ରିଲ୍ ମାସରେ ଲକ୍ଡାଉନ୍ ସମୟରେ ଧନୀଙ୍କ ସଂପତ୍ତି ବଢ଼ୁଥିବାବେଳେ ପ୍ରତି ଘଣ୍ଟାରେ ୧ଲକ୍ଷ ୭ହଜାର ଲୋକ ଚାକିରି ହରାଉଥିଲେ । ଅକ୍ସଫାମ୍ ତା’ ରିପୋର୍ଟରେ କହିଛି ମୁକେଶ ଅମ୍ବାନୀ କରୋନା ସମୟରେ ଘଣ୍ଟାକରେ ଯେତିକି ରୋଜଗାର କରୁଥିଲେ ଜଣେ ଅଣକୁଶଳୀ ଶ୍ରମିକଙ୍କୁ ସେତିକି ରୋଜଗାର କରିବାକୁ ୧୦ ହଜାର ବର୍ଷ ଲାଗିଯିବ । ଅମ୍ବାନୀ ୧ ସେକେଣ୍ଡରେ ଯେତିକି ରୋଜଗାର କରୁଥିଲେ ଜଣେ ଅଣକୁଶଳୀ ଶ୍ରମିକଙ୍କୁ ସେତିକି ରୋଜଗାର ପାଇଁ ୩ବର୍ଷ ଲାଗିବ । ଦେଶର ଏହି ୧୧ଜଣ ଆରବପତି କରୋନା କାଳରେ ଯେତିକି ରୋଜଗାର କରିଛନ୍ତି ତାହାର ଯଦି ୧ ପ୍ରତିଶତ ଟିକସରେ ନିଆଯାଏ କେନ୍ଦ୍ର ସରକାରଙ୍କ ଜନଔଷଧି ଯୋଜନାରେ ଆବଣ୍ଟନ କରୁଥିବା ଅର୍ଥ ୧୪୦ ଗୁଣା ବଢ଼ିଯିବ । ଯଦି ସମଗ୍ର ବିଶ୍ୱ କଥା ଚିନ୍ତା କରିବା ତେବେ ସାରା ବିଶ୍ୱରେ ଆରବପତିଙ୍କ ସଂପତ୍ତି କରୋନା ସମୟରେ ୨୯୪ଲକ୍ଷ କୋଟି ଟଙ୍କା ବଢ଼ିଯାଇଛି । ଆଉ ଠିକ୍ ଏହି ସମୟରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଯାଇଛନ୍ତି । ଏପରିକି ବିଶ୍ୱର ସବୁଠାରୁ ଧନୀ ୧୦ଜଣ ଆରବପତି ରୋଜଗାର କରୁଥିବା ଧନକୁ ଯଦି ଗରିବଙ୍କୁ ବାଣ୍ଟି ଦିଆଯାଏ ତେବେ ବିଶ୍ୱରେ ଆଉ କେହି ଗରିବ ରହିବେ ନାହିଁ ।

Leave A Reply

Your email address will not be published.