ମୁମ୍ବାଇରେ ବିଜୁଳି ବିଭ୍ରାଟ ପଛରେ ଥିଲା ଚାଇନାର ଷଡ଼ଯନ୍ତ୍ର

0 75

ମୁମ୍ବାଇ, ୧ ।୩: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚାଇନା ସାଇବର ଆଟାକ ମଧ୍ୟ କରିଛି । ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଦୀର୍ଘ ସମୟ ଧରି ବିଜୁଳି ବିଭ୍ରାଟ ଦେଖାଯାଇଥିଲା । ଟ୍ରେନ୍ ଚଳାଚଳ ଠାରୁ ଆରମ୍ଭ କରି ବେପାର ବଣିଜ କିଛି ସମୟ ପାଇଁ ଅଟକି ଯାଇଥିଲା । ତେବେ ଏହା ପଛରେ ଚାଇନାର ସାଇବର ଆଟାକ ଥିବା ନ୍ୟୁୟର୍କ ଟାଇମ୍ସରେ ଆଶଙ୍କା କରାଯାଇଛି । ଏହି ଖବର ସଂପୂର୍ଣ୍ଣ ସତ୍ୟ ଓ ମୁମ୍ବାଇରେ ବିଜୁଳି ବିଭ୍ରାଟ ପଛରେ ଚାଇନାର ସାଇବର ଆଟାକ ରହିଥିବା ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତୀନ ରାଉତ ଆଜି କହିଛନ୍ତି । ଭାରତରେ କରୋନା ମହାମାରୀର ସଙ୍କଟ ଚାଲିଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଏକ ବଡ଼ଧରରଣ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା । ଏହି କାରଣରୁ ଟ୍ରେନଗୁଡ଼ିକ ରାସ୍ତାରେ ଅଟକି ରହିଥିଲା ଓ ହସ୍ପିଟାଲ ଗୁଡ଼ିକ ଜେନେରେଟର ଚଳାଇ ଭେଣ୍ଟିଲେଟରରେ ରୋଗୀଙ୍କ ଚିକିତ୍ସା କରିଥିଲେ । ଏ ବିଷୟରେ ଏବେ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ଚାଇନାର ହ୍ୟାକର ଗୋଷ୍ଠୀ ଭାରତୀୟ ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଛି । ଏହି ଗ୍ରୁପ୍ ହିଁ ଭାରତୀୟ ପାୱାର ପ୍ଲାଣ୍ଟରେ ମାଲୱେର ଛାଡ଼ି ଏହାକୁ ଅଚଳ କରିଦେଇଥିଲା । ଗଲୱାନ ଉପତ୍ୟକାରେ ଉଭୟ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖାଦେଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଚାଇନା ମଧ୍ୟ ଅନେକ ଯବାନଙ୍କୁ ହରାଇଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚମର ସୀମାରେ ପହଞ୍ଚିଥିଲା । ଭାରତକୁ ଶିକ୍ଷା ଦେବା ପାଇଁ ଚାଇନାର ହ୍ୟାକରମାନେ ବିଜୁଳି ବିତରଣ କେନ୍ଦ୍ର ବା ଗ୍ରୀଡ୍କୁ ଟାର୍ଗେଟ କରି ମାଲୱେର ଛାଡ଼ିଥିଲେ । ଏଥିଯୋଗୁ ମୁମ୍ବାଇରେ ପ୍ରାୟ ୨ ଘଣ୍ଟା ଧରି ବିଜୁଳି କଟି ଯାଇଥିଲା । ଚାଇନିଜ୍ ମାଲୱେର ପ୍ରବାହକୁ ଆମେରିକାର ଏକ କମ୍ପାନୀ ଠାବ କରିଥିଲା । ଏହି କମ୍ପାନୀ ଡିଜିଟାଲ ବିପଦର ଅଧ୍ୟୟନ କରିଥାଏ । କମ୍ପାନୀ କହିଛି ଯେ ଭାରତୀୟ ପାୱାର ଗ୍ରୀଡରେ ମାଲୱେର ପ୍ରବେଶ କରିଥିଲେ ହେଁ ଅଧିକାଂଶ ଆକ୍ଟିଭ ହୋଇନଥିଲା । ଏହି କାରଣରୁ ବେଶୀ କିଛି କ୍ଷତି ହୋଇ ନଥିଲା । କେବଳ ମାଲୱେରର ଛୋଟିଆ ଅଂଶ ମୁମ୍ବାଇରେ ବିଜୁଳି ବିଭ୍ରାଟ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତୀନ ରାଉତ କହିଛନ୍ତି, ନ୍ୟୁୟର୍କ ଟାଇମ୍ସରେ କରାଯାଇଥିବା ଦାବିରେ ସତ୍ୟତା ରହିଛି । ଆମେ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲୁ । ସାଇବର ବିଭାଗ ଠାରୁ ଆମେ ଆଜି ସନ୍ଧ୍ୟାରେ ବିସ୍ତୃତ ରିପୋର୍ଟ ପାଇବୁ ବୋଲି ସେ କହିଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର ସାଇବର ବିଭାଗ ମୁମ୍ବାଇ ବିଜୁଳି ବିଭ୍ରାଟ ପଛରେ ସାଇବର ଆଟାକ କଥା ସନ୍ଦେହ କରିଥିଲା ।

Leave A Reply

Your email address will not be published.