ବଢ଼ୁଛି ସଂକ୍ରମଣ

0 60

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା କହର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି ଏହି ଭାଇରସ । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧କୋଟି ୨୦ଲକ୍ଷ ୯୫ ହଜାର ୮୫୫ ଜଣ ସଂକ୍ରମିତ ହେଲେଣି । ସେହିପରି ଏପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି ।

ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦ୍ବେଗଜନକ ହୋଇଥିବାରୁ କରୋନାକୁ ନେଇ ମହାରାଷ୍ଟ୍ରରେ ସ୍ଥିତି ବିଗୁଡୁଥିବା ବେଳେ, ରାଜ୍ୟରେ ଲକଡାଉନ୍ ଲାଗୁ କରିବାକୁ ସଙ୍କେତ ଦେଇଛନ୍ତି ଉଦ୍ଧବ ଠାକରେ । ଯାହାକୁ ବିରୋଧ କରିଛନ୍ତି ଏନ୍ସି ି ଓ ବିଜେପି । ପୂର୍ବରୁ ୨୮ ତାରିଖ ରାତିରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି ।

ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି କର୍ଫ୍ୟୁ । ତେବେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ୍ କେନ୍ଦ୍ର ସରକାର ଏହା ସ୍ୱୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ୍ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ । କିନ୍ତୁ ସମଗ୍ର ଦେଶ ପାଇଁ ବିଦର ଆଶଙ୍କା ବଢିଯାଇଛି । ଭୁତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନ ବଞ୍ଚାଇବାକୁ ଆମକୁ ସବୁ ପ୍ରକାରର ଉଦ୍ୟମ କରିବାକୁ ହେବ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଏସବୁ ଜିଲ୍ଲା ହେଲେ ପୁଣେ, ମୁମ୍ବାଇ,ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ,ବେଙ୍ଗାଲୁରୁ ଅର୍ବାନ, ଣ୍ଡେଡ୍, ଦିଲ୍ଲୀ ଓ ଅହମଦନଗର । ଏସବୁ ଜିଲ୍ଲାଗୁଡ଼ିକରେ ପରୀକ୍ଷା ହାର ବୃଦ୍ଧି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୬୫ ପ୍ରତିଶତ ଥିବାବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ତାହା ୨୩ ପ୍ରତିଶତ ରହିଛି । ଦେଶରେ ଏବେ ୮୦୭ଟି ୟୁକେ ଭାରିଆଣ୍ଟ, ୪୭ଟି ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓ ଗୋଟିଏ ବ୍ରାଜିଲ ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.