ଚୋର ଗଲା ପରେ ବାଟ ଦିଶୁଛି

0 66

ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢ଼ିଚାଲିଛି । ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ କେତେକ ଲୋକ ଲୋଭର ବଶବର୍ତ୍ତୀ ହୋଇ ଏହି ଠକଙ୍କ ହାବୁଡ଼ରେ ପଡ଼ି ନିଜର ସର୍ବସ୍ୱ ହରାଉଛନ୍ତି । ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକେ ଏଥିପ୍ରତି ସଚେତନ ନହେବାରୁ ଏହି ଠକେଇର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ମାର୍ଚ୍ଚ ମାସରେ ସାଇବର ଅପରାଧ ନେଇ ପୋଲିସ ଦେଇଥିବା ତଥ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ମାର୍ଚ୍ଚ ମାସରେ ମୋଟ ୬୨୯ଟି କଲ୍ ସାଇବର ଡେସ୍କକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଠକେଇର ପ୍ରାୟ ଅଧା ମାମଲା ଭୁବନେଶ୍ୱରରେ ହିଁ ଘଟିଛି । ଭୁବନେଶ୍ୱରରେ ୩୧୦ଟି ସାଇବର ଠକେଇ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ବିଶେଷକରି ୩ଟି ମାଧ୍ୟମରେ ଲୋକଙ୍କୁ ଏହି ଠକମାନେ ଠକିଛନ୍ତି । ୟୁପିଆଇ ମାଧ୍ୟମରେ ୧୭୦ଜଣ ଠକେଇର ଶିକାର ହୋଇଥିବାବେଳେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ୮୦ଟି ଓ ଅନ୍ୟାନ୍ୟ ଠକେଇ ବାବଦରେ ୩୭୯ଟି କଲ୍ ଆସିଛି । ଆଉ ଏହି ଠକେଇ ମାଧ୍ୟମରେ ୮୪ଲକ୍ଷ ୭୮ହଜାର ୩୯୪ ଟଙ୍କା ଉଡ଼ାଇ ଦେଇଛନ୍ତି ସାଇବର ଠକ । ମାତ୍ର ୨ଲକ୍ଷ ୫୩ ହଜାର ୬୪୭ଟଙ୍କା ପୋଲିସ ଆଦାୟ କରିବାକୁ ସକ୍ଷମ ହୋଇଛି । ତେବେ ଏହି ସାଇବର ଠକେଇ ପାଇଁ ଦାୟୀ କିଏ? ଲୋଭର ବଶବର୍ତ୍ତୀ ହୋଇ ଲୋକେ ଯେଭଳି ଆଗପଛ ବିଚାର ନକରି ଏମାନଙ୍କ ହାବୁଡ଼ରେ ପଡ଼ୁଛନ୍ତି ଏହା ହିଁ ମୁଖ୍ୟ କାରଣ । ରାତାରାତି ବଡ଼ଲୋକ ହୋଇଯିବାର ସ୍ୱପ୍ନ ଏମାନଙ୍କୁ ବିପଦରେ ପକାଉଛି । ଯଦି ଏମାନେ ଭାବିଚିନ୍ତି କାର୍ଯ୍ୟ କରନ୍ତେ କିମ୍ବା କୌଣସି ଆସିବା ପରେ ପୋଲିସର ସହାୟତା ନିଅନ୍ତେ ତେବେ ଏଭଳି ଅଘଟଣ ଘଟିବା ପୂର୍ବରୁ ରୋକାଯାଇପାରନ୍ତା । କିନ୍ତୁ ଚୋର ଗଲା ପରେ ବାଟ ଦିଶିବା ଭଳି ଅଘଟଣ ଘଟିବା ପରେ ଚେତା ପଶୁଛି । ସାଇବର ଠକେଇ ରୋକିବା ପାଇଁ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ନକରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଥିଲେ ମଧ୍ୟ କେତେକ ଲୋକ ଏହାକୁ ଭ୍ରୂକ୍ଷେପ କରୁନାହାନ୍ତି । ଯଦ୍ୱାରା ଏହି ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛି ଅଜଣା ବ୍ୟକ୍ତିଙ୍କ କଲ୍ ଆସିଲେ ଲୋଭର ବଶବର୍ତ୍ତୀ ନହୋଇ ଏସବୁକୁ ଭଲରୂପେ ତର୍ଜମା କରି ସେମାନଙ୍କୁ ନିଜର ଆଧାର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ଉଚିତ୍ । ଯଦି ଏହିସବୁ ଦିଗ ପ୍ରତି ଲୋକେ ଯତ୍ନବାନ୍ ହୁଅନ୍ତେ ତେବେ ସାଇବର ଠକେଇକୁ ରୋକାଯାଇପାରନ୍ତା ।

Leave A Reply

Your email address will not be published.