ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ : ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ ଯାଏଁ ଲାଗିବ କର୍ଫ୍ୟୁ

70

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତର ରହିବ ନାଇଟ୍ କର୍ଫ୍ୟୁ । ଆସନ୍ତା ୫ ତାରିଖ ଅର୍ଥାତ ସୋମବାରଠାରୁ ଏହି କଟକଣା ଲାଗିବ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଶନିବାର ଦିନ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । କର୍ଫ୍ୟୁ ସମୟରେ ଡାକ୍ତର , ନର୍ସ , ପାରାମେଡିକାଲ ଷ୍ଟାଫ୍ , ଜିଲ୍ଲା ଓ ମ୍ୟୁନିସପାଲଟି କର୍ମଚାରୀ, ପୋଲିସ୍ କର୍ମଚାରୀ ଯାତାୟତ କରିପାରିବେ । ନାଇଟ୍ କର୍ଫ୍ୟୁ ବେଳେ ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍ ବନ୍ଦ ରହିବ । ସେହିପରି ଜରୁରୀ କାର୍ଯ୍ୟକଳାପଗୁଡ଼ିକୁ ଛାଡ଼ି ଅନ୍ୟ ସବୁ ଯାତାୟତ ବି ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ମଧ୍ୟ କଟକଣାରୁ ମୁକ୍ତ ରଖାଯାଇଛି । ସ୍ୱାସ୍ଥ୍ୟ , ବିଦ୍ୟୁତ୍ , ଜଳ ଯୋଗାଣ , ଟେଲିକମ୍ , ଅଗ୍ନିଶମ , ରେଲୱେ ଓ ଏୟାରପୋର୍ଟ ଏବଂ ଗଣମାଧ୍ୟମ ଆଦି ସେବା ସହିତ ଜଡିତ କର୍ମଚାରୀଙ୍କୁ କଟକଣାରୁ ବାଦ୍ ଦିଆଯାଇଛି ।

ସେହିପରି ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ସିଏନ୍‌ଜି ଷ୍ଟେସନ ଖୋଲା ରହିବ । ହୋଟେଲ ଓ ଢାବାରୁ ଖାଦ୍ୟର ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି । ସେହିପରି ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ।

Comments are closed.