ଅମ୍ପାୟାରଙ୍କୁ ଦୋଷ ଦେବା ଅର୍ଥ ନିଜ ଖେଳରେ ଦୁର୍ବଳତା ରହିଛି

0 69

କୋଲକାତା, ୩ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ନିର୍ବାଚନ ଆୟୋଗ ଉପରେ ଲଗାଇଥିବା ଅଭିଯୋଗକୁ ନେଇ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ରିକେଟ୍ ମଇଦାନରେ ଯଦି କୌଣସି ଖେଳାଳି ବାରମ୍ବାର ଅମ୍ପାୟାରଙ୍କ ଉପରେ ପ୍ରଶ୍ନ ଉଠାନ୍ତି ତେବେ ବୁଝି ନେବେ ଯେ, ସେମାନଙ୍କ ଖେଳରେ କିଛି ଦୁର୍ବଳତା ରହିଛି । ନିର୍ବାଚନ ମଇଦାନରେ କେତେବେଳେ ଇଭିଏମକୁ ତ କେତେବେଳେ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଉଥିଲେ ଜାଣି ନେବେ ଯେ, ସେମାନଙ୍କ ଖେଳ ଶେଷ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିଦି ଲୋକଙ୍କ ଆତ୍ମ ସମ୍ମାନକୁ ଏହା କହି ଆଘାତ ଦେଉଛନ୍ତି ଯେ, ଲୋକେ ଟଙ୍କା ନେଇ ବିଜେପି ରାଲିକୁ ଯାଉଛନ୍ତି । ସେ କହିଛନ୍ତି ତୃଣମୂଳ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଦୋହନ ପରେ ସିଙ୍ଗୁରକୁ ଉପେକ୍ଷା କରିଛି । ଇଲାକାରେ କୌଣସି ଉଦ୍ୟୋଗ ପ୍ରତିଷ୍ଠା ହୋଇ ନାହିଁ । ଓଲଟା କୃଷକ ବହୁତ ସମସ୍ୟାରେ ରହିଥିବା ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗକୁ କଣ ଦରକାର, କଣ କରିବା ଉଚିତ୍, ଏହାକୁ ନେଇ ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କୌଣସି ଭ୍ରମ ରହିବା ଉଚିତ୍ ନୁହେଁ । ଏହି କାରଣରୁ ରାଜ୍ୟବାସୀ ନିର୍ବାଚନରେ ସର୍ବଦା ସ୍ପଷ୍ଟ ବହୁମତକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏଠାକାର ବୌଦ୍ଧିକ ବର୍ଗ, ଏଠାକାର ଅଧ୍ୟୟନଶୀଳ ପ୍ରତିଭା ସର୍ବଦା ସ୍ପଷ୍ଟବାଦୀ ହୋଇ ଆଗକୁ ବଢିଥାନ୍ତି । ମେ ୨ରେ କଣ ହେବାକୁ ଯାଉଛି ତାର ଝଲକ ଆମେ ନନ୍ଦିଗ୍ରାମରେ ଦୁଇଦିନ ପୂର୍ବେ ଦେଖି ସାରିଛନ୍ତି । ମୋତେ ପୂରା ବିଶ୍ୱାସ ଯେ, ପ୍ରତିଟି ପର୍ଯ୍ୟାୟ ମତଦାନ ସହ ଦିଦିଙ୍କ ବାଚଳାମି ବଢି ଚାଲିବ ଏବଂ ମୋ ଉପରେ ଗାଳିର ବର୍ଷା ମଧ୍ୟ ବଢି ଚାଲିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଲିକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି ।

Leave A Reply

Your email address will not be published.