ରକ୍ତର ହୋଲି ଖେଳିଲା ଲାଲବାହିନୀ : ୨୪ ଯବାନ ସହିଦ, ୩୦ ଆହତ

78

-ରାଷ୍ଟ୍ରତି-ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଛତିଶଗଡ଼ରେ ରକ୍ତର ହୋଲି ଖେଳିଲା ଲାଲବାହିନୀ । ବିଜାପୁର-ସୁକ୍‌ମା ସୀମାନ୍ତ ଜଙ୍ଗଲରେ ବଡ଼ଧରଣର ନକ୍ସଲ ହମ୍‌ଲା ହୋଇଛି । ସୁରକ୍ଷା କର୍ମୀ-ମାଓବାଦୀ ପରସ୍ପର ମଧ୍ୟରେ ଗୁଳିବିନିମୟ ବେଳେ ସହିଦ ହୋଇଛନ୍ତି ୨୪ ଯବାନ ।

ଦୀର୍ଘ ୪ଘଣ୍ଟା ଧରି ଜଙ୍ଗଲ ଭିତରେ ଚାଲିଥିଲା ଘମାଘୋଟ ଲଢ଼େଇ । ରକେଟ୍ ଲଞ୍ଚରରୁ ସୁରକ୍ଷା କର୍ମୀଙ୍କ ଉପରେ ହମ୍‌ଲା କରିଥିଲେ ନକ୍ସଲ । ଏନ୍‌କାଉଣ୍ଟର ସ୍ଥଳରୁ ସାମ୍ନାକୁ ଆସିଛି ଛାତି ଥରାଇଦେଲା ଭଳି ହୃଦୟ ବିଦାରକ ଦୃଶ୍ୟ । ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ବିଛାଇ ହୋଇପଡ଼ିଥିଲା ଯବାନଙ୍କ ମୃତଦେହ ।

ଗତକାଲି ଦୁଇଜଣ ଏବଂ ଆଜି ୨୨ଜଣଙ୍କ ମୃତଦେହ ମିଳିଛି । ସହିଦଙ୍କ ଭିତରେ ଅଛନ୍ତି କୋବ୍ରା ବାଟାଲିୟନ, ବିଆରଜି ଓ ଏଟିଏଫ୍ ଯବାନ । ଆହତ ହୋଇଛନ୍ତି ୩୦ରୁ ଊର୍ଦ୍ଧ୍ୱ ଯବାନ । ସେମାନଙ୍କୁ ବିଜାପୁର ଓ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟର ପରେ ଏବେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ସିଆରପିଏଫ୍ ଡିଜି କୁଲଦୀପ ସିଂହ ମଧ୍ୟ ଛତିଶଗଡ଼ରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଟପ୍ ମାଓନେତା ମାଡ଼ବି ହିଡ୍‌ମା ବିଜାପୁରରେ ଲୁଚିଥିବା ଖବର ମିଳିଥିଲା । କୌଣସି ଏକ ବଡ଼ଧରଣର ହମଲା ପାଇଁ ଯୋଜନା କରୁଥିବା ସୂଚନା ପାଇଥିଲା ସୁରକ୍ଷା ବାହିନୀ । ଏହାପରେ ବିଜାପୁର ସୁକ୍‌ମା
ସୀମାନ୍ତ ଜୁନାଗୁଡ଼ା ଜଙ୍ଗଲରେ ଆରମ୍ଭ ହୋଇଥିଲା ଅପରେସନ୍ । ଏତିକି ବେଳେ ମାଓବାଦୀଙ୍କ ସହ ମୁହାଁମୁହିିଁ ହୋଇଥିଲେ ସୁରକ୍ଷା ବାହିନୀ । ମାତ୍ର ସାମାନ୍ୟ ଭୂଲ ରଣନୀତି ଯୋଗୁ ମାଓବାଦୀଙ୍କ ଆମ୍ବୁସ୍ ଜାଲରେ ଫଶିଯାଇଥିଲେ ଯବାନ ।

ମାଓବାଦୀ ଯବାନଙ୍କ ଉପରକୁ ଗୁଳି ଚଳାଇବା ସହ ରକେଟ୍ ଲଞ୍ଚର ମାଡ କରିଥିଲେ । ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବାରୁ କେତେସଂଖ୍ୟକ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି । ଯବାନଙ୍କ ପାଲଟା ଗୁଳିରେ ଅନେକ ମାଓବାଦୀ ମଧ୍ୟ ମୃତାହତ ହୋଇଥିବା କୁହାଯାଉଛି । ମାଓବାଦୀଙ୍କ ମୃତଦେହକୁ ଟ୍ରାକ୍ଟର ଯୋଗେ ଘଟଣାସ୍ଥଳରୁ ନେଇଯାଇଛନ୍ତି ଲାଲବାହିନୀ ।

ଏହି ହମଲା ପରେ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଏହିସବୁ ଜିଲ୍ଲାରେ ମାଓଦମନ ଅଭିଯାନ ଓ ରଣନୀତିର ସେ ସମୀକ୍ଷା କରିଛନ୍ତି । ସୁକ୍‌ମା ଜିଲ୍ଲାକୁ ମାଲକାନଗିରି ଲାଗି ରହିଥିବାରୁ ମାଓବାଦୀମାନେ ଓଡ଼ିଶାସୀମାରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି । ତେଣୁ ମାଓଦମନ ଅଭିଯାନକୁ ଜୋରଦାର କରାଯିବ ବୋଲି ଡିଜି ି କହିଛନ୍ତି । ଏଥିସହିତ ସହିଦ ହୋଇଥିବା ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଏହି ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହିଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି ଯେ, ଛତିଶଗଡରେ ମାଓବାଦୀ ଆକ୍ରମଣର ମୁକାବିଲା ବେଳେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେବା ଗଭୀର ଦୁଃଖର ବିଷୟ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ଦେଶ ସେମାନଙ୍କର ଯନ୍ତ୍ରଣା ବାଣ୍ଟିବ ଏବଂ ଏହି ବଳିଦାନକୁ କେବେବି ଭୁଲି ପାରିବ ନାହିଁ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହିତ ଆହତ ଯବାନଙ୍କ ଆଶୁଆରୋଗ୍ୟ କମନା କରିଛନ୍ତି ।

Comments are closed.