ଗଜପତିରେ କରୋନାକୁ ନିୟନ୍ତ୍ରଣ ପାଇଁ ଆନ୍ଧ୍ର-ଓଡିଶା ସୀମା ସିଲ

0 70

ପାରଳାଖେମୁଣ୍ଡି, ୧୨ା୪ : ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସଂକ୍ରମଣ ବଢି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ୭ଗୋଟି ଅଞ୍ଚଳରେ ନାକା ପଏଣ୍ଟ ଦ୍ୱାରା ସୀମାକୁ ସିଲ କରାଯାଇଛି । ଏହି ନାକା ପଏଣ୍ଟ ଗୁଡିକ ହେଲା ପାରଳାଖେମୁଣ୍ଡି ସହର ଠାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାର ମହେନ୍ଦ୍ରତନୟା ନଦୀ ନିକଟସ୍ଥ ନାକା ପଏଣ୍ଟ ସହ ଢାମୁଣୀ ଗ୍ରାମ, ଭିସ୍ତଳା, ହାଡୁଭାଙ୍ଗି, ଲାବଣ୍ୟଗଡ, କମଳାପୁର ଆଦି ଅଞ୍ଚଳରେ ପୋଲିସ ଓ ପ୍ରଶାସନ ତରଫରୁ ୨୪ଘଣ୍ଟିଆ ସଜାଗ ବ୍ୟବସ୍ଥା କରାଯାଇ ସୀମାକୁ ସିଲ କରାଯାଇଛି । ବିଶେଷ କରି ଅଧିକ ସଂକ୍ରମଣଥିବା ରାଜ୍ୟରୁ ଗଜପତିକୁ ଫେରୁଥିବା ଯାତ୍ରୀଙ୍କ ଠାରେ ନେଗେଟିଭ୍ ପ୍ରମାଣପତ୍ର କିମ୍ବା ୨ଥର କରୋନା ପ୍ରତିଶେଧକ ଟୀକା ନେଇଥିବା ପ୍ରମାଣପତ୍ର ରହିବା ବାଧ୍ୟତା ମୂଳକ । ଆନ୍ଧ୍ରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସ୍ୱଭାବିକ ଭାବେ ନିଜ ନିଜର ସ୍କୁଲକୁ ପାଠ ପଢିବା ପାଇଁ ଯାଇପାରିବେ । ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ବସ୍ ଓ ବିଭିନ୍ନ ଯାତ୍ରୀବାହୀ ବସ ପୂର୍ବ ଭଳି ଚଳାଚଳ କରିବ । ହେଲେ କୋଭିଡ୍ ନିୟମକୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉଲଂଘନ କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଜପତି ଜିଲ୍ଲା ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ବହୁ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ସେଥିରୁ ଏହି ପଦକ୍ଷେପ ଗୁଡିକ ଅନ୍ୟତମ । ବିଶେଷ କରି ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ଛତିଶଗଡ, କେରଳ ଆଦି କେତେକ ରାଜ୍ୟରେ ଦ୍ୱିତୀୟ ଲହରୀର କରୋନା ସଂକ୍ରମଣ ବିଶେଷ ବୃଦ୍ଧି ପାଇଛି । ଏସବୁ ରାଜ୍ୟରୁ ଗଜପତି ଫେରୁଥିବା ଲୋକଙ୍କ ଠାରେ କରୋନା ସଂକ୍ରମଣ ନଥିବା ଆବଶ୍ୟକ । ତେଣୁ ଏମାନଙ୍କ ଠାରେ ୭୨ଘଣ୍ଟା ମଧ୍ୟରେ ଥିବା ନେଗେଟିଭ୍ ପ୍ରମାଣ ପତ୍ର ସହ ଦୁଇଥର କରୋନା ପ୍ରତିଶେଧକ ଟୀକାକରଣର ପ୍ରମାଣ ପତ୍ର ନିହାତି ଆବଶ୍ୟକ । ଏଥି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛନ୍ତି । ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଆନ୍ଧ୍ର-ଓଡିଶା ସୀମାନ୍ତରେ ସିଲ କରାଯାଇଥିବା ବିଭିନ୍ନ ନାକା ପଏଣ୍ଟ ଅଞ୍ଚଳକୁ ପରିଦର୍ଶନ କରି କିପରି ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁ ରହିଛି ତାହାର ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.