ଦେଶରେ କରୋନାର ବିସ୍ଫୋରଣ

68

-ରାୟପୁରରେ ରୋଗୀଙ୍କୁ ମିଳୁନି ଡାକ୍ତରଖାନା
-ଶବ ରଖିବାକୁ ଓ ଶ୍ମଶାନ ପାଇଁ ନାହିଁ ଜାଗା
-ଗୁଜରାଟ-ଦିଲ୍ଲୀରେ ରୋଗୀଙ୍କ ପାଇଁ ବେଡ୍ ଅଭାବ

ନୂଆଦିଲ୍ଲୀ: ସ୍ଥିତି ଅସମ୍ଭାଳ । ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର,ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଉଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୧ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭୯ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୮ଶହ ଟପିଛି ।

୨୪ ଘଣ୍ଟା ମଧ୍ୟରେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ହଜାର ୪୫୩ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୧ ହଜାର ୦୫୮ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ରେ ପହଞ୍ଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨୬୪୬୯୮ ।

ଅପରପକ୍ଷରେ ସାରା ଦେଶରେ ଅନିୟନ୍ତ୍ରିତ ହେବାରେ ଲାଗିଛି ଭୂତାଣୁ । ପ୍ରତିଦିନ ଅନେକ ସଂଖ୍ୟାରେ ନୂଆ କେସ୍ ସାମ୍ନାକୁ ଆସୁଛି । ତେବେ ଛତିଶଗଡରେ ବେକାବୁ ହେଉଛି ସଂକ୍ରମଣ । ଛତିଶଗଡ ରାଜଧାନୀ ରାୟପୁର ସରକାରୀ ହସ୍ପିଟାଲରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଡକ୍ଟର ଭିମରାଓ ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ଶବ ରଖିବାକୁ ମିଳୁନି ଜାଗା । କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ପରେ ଏଣେ ତେଣେ ପଡିରହିଛି ମୃତଦେହ । ହସ୍ପିଟାଲରେ ଥିବା ଫ୍ରିଜର ପୂରା ଭର୍ତ୍ତି ହୋଇଯାଇଛି ।

ଜାଗା ନଥିବାରୁ ଷ୍ଟ୍ରେଚରଠାରୁ ଆରମ୍ଭ କରି ଆମ୍ବୁଲାନ୍ସରେ ପଡିରହିଛି ଶବ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ନିରୁପାୟ ହୋଇଯାଇଛନ୍ତି । ପୂର୍ବରୁ ଅନ୍ତିମ ସଂସ୍କାର ପାଇଁ ହେବାକୁ ଥିବା ଅନେକ ସଂଖ୍ୟାରେ ମୃତଦେହ ପଡିଛି । ଅନ୍ୟ କୌଣସି ଉପାୟ ନଥିବାରୁ ଷ୍ଟ୍ରେଚର, ଆମ୍ବୁଲାନ୍ସରେ ସବୁ ପଡିରହିଛି ମୃତଦେହ । ସେହିପରି ଗୁଜରାଟ ଏବଂ ଦିଲ୍ଲୀରେ ମଧ୍ୟ ସ୍ଥିତି ସଂଗୀନ୍ ହୋଇପଡ଼ିଛି । ଏହି ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ବେଡ୍ ଅଭାବ ସବୁଠାରୁ ଚିନ୍ତାର କାରଣ ପାଲଟିଛି ।

Comments are closed.