ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ : ବାଲେଶ୍ୱରର ବିକାଶ ପାଇଁ ୧୫୫ କୋଟି

66

-୬ ଥାକିଆ ହେବ ତୁମୁଳିଆ-ଷ୍ଟେସନବଜାର ରାସ୍ତା
-ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୭୦ କୋଟି
-ବହୁମୁଖୀ ଇନ୍ଡୋର ହଲ୍ ଓ ସ୍ୱିମିଂପୁଲ୍ କରାଯିବ
-ବୁଢ଼ାବଳଙ୍ଗ ନଦୀପଠାର ସୌନ୍ଦର୍ଯ୍ୟକରଣ ପାଇଁ ୫୩ କୋଟି
-ଡ୍ରେନେଜ୍ ଓ କେନାଲ ରାସ୍ତାର ବିକାଶ ପାଇଁ ୭ କୋଟି

ଭୁବନେଶ୍ୱର : ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ସକାଳେ ବାଲେଶ୍ୱର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ ।

ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ଘୋଷଣା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ୱର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ୱରବାସୀଙ୍କୁ କଥା ଦେଇଥିଲି ଯେ,ବାଲେଶ୍ୱର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପଗୁଡିକ ଘୋଷଣା କରିଥିଲେ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮କୋଟି ଟଙ୍କା ବ୍ୟୟରେ ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ । ତୁମୂଳିଆ ଗେଟ ଫ୍ଲାଇଓଭରଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ଛଅ ଥାକିଆ କରାଯିବ । ଏହା ସହିତ ଏ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ୍ ଲାଇଟ୍ର ବ୍ୟବସ୍ଥା ମଧ୍ୟ କରାଯିବ ।

ବାଲେଶ୍ୱର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ ସମସ୍ୟା ଦୂର କରିବାରେ ସହାୟକ ହେବ । ବାଲେଶ୍ୱରର କ୍ରୀଡାବିତମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ୱର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ମଲ୍ଟିପର୍ପୋଜ ଇନ୍ଡୋର ହଲ୍, ସ୍ୱିମିଂପୁଲ୍ ଆଦି ଲ୍ନ୍ତ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡାବିତମାନଙ୍କ ପାଇଁ ଉଚ୍ଚମାନର ତାଲିମ ବ୍ୟବସ୍ଥା କରାଯିବ ।

ବୁଢାବଳଙ୍ଗ ନଦୀ ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା । ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ୱର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀକୁଳର ଆବଶ୍ୟକ ବିକାଶ କରାଯିବ । ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀଗୁଡିକ ଯଥା ଗଡଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡଖୁଆ ପୋଖରୀ, ନୂଆ ପୋଖରୀ,ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକମାନଙ୍କ ନିମନ୍ତେ ଓପନ୍ ସ୍ପେଶ୍ ସୃଷ୍ଟି କରିବ । ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ୍ ଚ୍ୟାନେଲ ଓ ତତସଂଯୁକ୍ତ ରାସ୍ତାଗୁଡିକର ୭କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲେଶ୍ୱର ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ନିମନ୍ତେ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ସେହପରି ଗତ ୪/୫ ମାସ ହେବ ବାଲେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି । ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ୱାସ କରୁ ବୋଲି ତାଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ । ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ ଦିଗରେ ବାଲେଶ୍ୱର ଜିଲ୍ଲାର ଭାଇଭଉଣୀମାନଙ୍କ ସହଯୋଗ କାମନା କରିଥିଲେ ।

Comments are closed.