୧୯ରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

72

-ପରୀକ୍ଷା ଓ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖ (ସୋମବାର) ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍ ପାଠପଢ଼ା ସ୍ଥଗିତ ରହିବ । ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ହେବ ଏବଂ ଖାଲି କରିବା ପାଇଁ ନିର୍ଦ୍ଦେଶ ହୋଇଛି । ସିଲାବସ ଶେଷ ହେବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ କରାଯିବ ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ନିଷ୍ପତି ସମ୍ପର୍କରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଏବଂ ସରକାରୀ , ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜର ପ୍ର୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ପରୀକ୍ଷା ଓ କ୍ଲାସ୍ (ଥିଓରୀ ଓ ପ୍ରାକ୍ଟିକାଲ)୧୯ ତାରିଖ ଠାରୁ ବନ୍ଦ ରହିବ । ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ଖାଲି ହେବ । ସିଲାବସ୍ ଅନୁଯାୟୀ କୋର୍ସ ସାରିବାକୁ ଅନଲାଇନ୍ କ୍ଲାସ୍ କରାଯିବ ।

ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ । ରୋଟେସନ ଭିତିରେ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟ ହେବ । ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ । ଯେଉଁମାନେ ଅଫିସ ନ ଆସିବେ ଘରେ ରହି କାମ କରିବେ । ଜରୁରୀ ଆବଶ୍ୟକତା ପଡିଲେ, ଯେଉଁମାନେ ଘରେ ରହି କାମ କରୁଛନ୍ତି, ସେମାନଙ୍କୁ ଡକା ଯାଇ ପାରିବ । ମେଡିକାଲ ସମ୍ପୃକ୍ତ ପାଠ୍ୟକ୍ରମରେ ଏହା ଲାଗୁ କରାଯିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମିଶ୍ର ଚିଠି ଲେଖିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଯେ ୧୯ ତାରିଖରୁ ସମସ୍ତ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଏବଂ ସ୍କୁଲ ବନ୍ଦ ରଖିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ । ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ବୋଲି ଘୋଷଣା ହୋଇଥିଲା ।

Comments are closed.