ଶ୍ରାଦ୍ଧ ଦିବସରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ଟଲ୍ ମ୍ୟାନ୍ ଙ୍କ ସ୍ମୃତିଚାରଣ କଲା ସାରା ଓଡ଼ିଶା

52

ମହାନ୍ ଜନନାୟକ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ମହାପ୍ରୟାଣ ଦିବସ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ରାଜ୍ୟର ଯେଉଁ କେତେଜଣ ଯୋଗଜନ୍ମା ଆଜୀବନ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରୁ ମହାନ୍ ଜନନାୟକ ବିଜୁ ପଟ୍ଟନାୟକ ଅନ୍ୟତମ । ଓଡ଼ିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ଅତ୍ୟନ୍ତ ସାହସୀ, ସ୍ୱାଭିମାନୀ, ଯୁଗଦ୍ରଷ୍ଟା ଓ ଦୂରଦୃଷ୍ଟିସମ୍ପନ୍ନ । ଆଜି ତାଙ୍କର ୨୪ ତମ ଶ୍ରାଦ୍ଧବାର୍ଷିକୀକୁ ସାରା ରାଜ୍ୟରେ ନିରାଡମ୍ବର ଭାବେ ପାଳନ କରାଯାଉଛି । ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକଠାରେ ଏହି ମହାନ୍ ଆତ୍ମାଙ୍କ
ଜନ୍ମ ହୋଇଥିଲା ।

ଓଡ଼ିଶାକୁ ଏକ ବିଭବଶାଳୀ ଓ ବିତ୍ତଶାଳୀ ରାଜ୍ୟରେ ପରିଣତ କରିବାକୁ ସେ ସ୍ୱପ୍ନ ଦେଖୁଥିଲେ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଏହି ମହାନ୍ ଜନନାୟକଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଅବଦାନ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ । ସାଲିସବିହୀନ ରାଜନୀତିଜ୍ଞ, ଚିନ୍ତାନାୟକ,ସ୍ୱାଭିମାନୀ, କଳିଙ୍ଗବୀର ଓ ପ୍ରବାଦପୁରୁଷ ଭାବରେ ସେ ଘରେ ଘରେ ପରିଚିତ । ଆଜି ଏହି ଟଲ୍ ମ୍ୟାନ୍ଙ୍କ ସ୍ମୃତିଚାରଣ କରୁଛି ସାରା ଓଡ଼ିଶା । ପରଲୋକ ହେବାର ୨୪ ବର୍ଷ ପରେ ବି ସେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ମଧ୍ୟ ବିରାଜମାନ ।

ରାଜ୍ୟବ୍ୟାପି ବିଭିନ୍ନ ସ୍ଥାନରେ ତାଙ୍କ ସ୍ମୃତିରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ବିଜେଡି ପକ୍ଷରୁ ତାଙ୍କ ଶ୍ରାଦ୍ଧଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଛି । ରାଜ୍ୟବାସୀଙ୍କ ପ୍ରତି ବିଜେଡିର ଥିବା ପ୍ରତିବଦ୍ଧତା ଦର୍ଶାଇବାକୁ ଆଜି “ଓଡ଼ିଶା ମୋ ପରିବାର’ ପକ୍ଷରୁ “ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ସେବାଭାବକୁ ତ୍ୱରାନ୍ୱିତ କରାଗଲେ ଏହା ତାଙ୍କ ପ୍ରତି ପ୍ରକୃତି ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି ।

Comments are closed.