ଲାନ୍ସେଟର ଭବିଷ୍ୟବାଣୀ : ଜୁନ୍ ରେ ପିକ୍ କରିବ ସଂକ୍ରମଣ, ପ୍ରତିଦିନ ଯିବ ୨୫୦୦ ଜୀବନ

75

ସଂକ୍ରମଣ ରୋକିବାକୁ ଲାନ୍ସେଟ୍ର ପରାମର୍ଶ:

-ଲୋକ ଗହଳି ହେଉଥିବା ଉତ୍ସବ, କାର୍ଯ୍ୟକ୍ରମକୁ ବନ୍ଦ କରାଯାଉ

-ଆସନ୍ତା ୨ମାସ ପାଇଁ ରୁଦ୍ଧଦ୍ୱାର କାର୍ଯ୍ୟକ୍ରମକୁ ବାତିଲ କରାଯାଉ

-୧୦ରୁ ଅଧିକ ଲୋକଙ୍କ ଗହଳି ଉପରେ ଲଗାଯାଉ କଟକଣା

-ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଆଯାଉ ନିଷ୍ପତ୍ତି

-ସମସ୍ତ ସିନେମା ହଲ, କ୍ରୀଡା ଆୟୋଜନ, ଇନ୍ଡୋର ଷ୍ଟାଡିୟମ୍କୁ ବନ୍ଦ କରାଯାଉ

ନୂଆଦିଲ୍ଲୀ : ଜୁନ୍ରେ ମହାମାରୀ କରିବ କଲବଲ । ଶିଖର ଛୁଇଁବ ସଂକ୍ରମଣ,ବଢିବ ଦୈନିକ ମୃତ୍ୟୁସଂଖ୍ୟା । ପାଖାପାଖି ୨୫୦୦ ଲେଖାଏଁ ମୃତ୍ୟୁ ହେବା ନେଇ ଆକଳନ କରିଛନ୍ତି ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ “ଦ ଲାନ୍ସେଟ୍ । ସୂଚନାଥାଉ କି ଭାରତରେ ପ୍ରବାହିତ ୨ୟ ଲହର କ୍ଷୀପ୍ର ଗତିରେ ମାଡିବାରେ ଲାଗିଛି । ଜୁନ୍ ରେ ଏହାର ପ୍ରଭାବ ଆହୁରି ଭୟାବହ ହେବ ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ମୃତ୍ୟୁବରଣ କରିବେ ଲୋକେ । ୧୭୦୦ ରୁ ୨୫୦୦ ପର୍ଯ୍ୟନ୍ତ ଜୀବନ ନେଇପାରେ ମହାମାରୀ । ରିପୋର୍ଟରୁ ଜଣାପଡିଛି ଯେ, ଏଥର ଭାଇରସ୍ରେ ଟିୟର-୨, ଟିୟର-୩ ଶ୍ରେଣୀ ଲୋକେ ବେଶି ସଂକ୍ରମିତ ହେଉଛନ୍ତି । ଯେମିତିକି ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ଏଥର ସ୍ଥିତି ଅଧିକ ଖରାପ୍ ରହିବ । ପ୍ରଥମ ଲହରରେ ଅଧିକ ସଂଖ୍ୟାରେ ଜିଲ୍ଲାରେ ସଂକ୍ରମଣ ମାତ୍ରା ଅଧିକ ଥିଲା । କିନ୍ତୁ ଏଥର ୨ୟ ଲହରରେ କମ୍ ଜିଲ୍ଲାରେ ଅଧିକ ସଂଖ୍ୟାରେ ସଂକ୍ରମଣ ମାତ୍ରା ବଢିଛି । ଆହୁରି କୁହାଯାଇଛି ଯେ, ଲୋକେ ଯଥାସମ୍ଭବ କରୋନା ଗାଇଡ୍ଲାଇନ୍ ପାଳନ କରନ୍ତୁ । ନଚେତ୍ ସ୍ଥିତି ଭୟାବହ ହେବ ଏଥିରେ ସନ୍ଦେହ ନାହିଁ । ପୂର୍ବରୁ ମଧ୍ୟ ଲାନ୍ସେଟ୍ର ଭବିଷ୍ୟବାଣୀ ସତସାବ୍ୟସ୍ତ ହୋଇଥିଲା ।

ଗତବର୍ଷ କୁହାଯାଇଥିଲା ଯେ, ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିବ । ଏପରିକି ମୃତ୍ୟୁସଂଖ୍ୟା ବି କମ୍ ରହିବ । କେବଳ ସେତିକି ନୁହେଁ ୨୦୨୧ ଫେବୃୟାରୀ ଶେଷରେ ଭାରତରେ କରୋନାର ୨ୟ ଲହର ପ୍ରବାହିତ ହେବ । ଆସନ୍ତା ୨ମାସ ପାଇଁ ସମସ୍ତ ରୁଦ୍ଧଦ୍ୱାର ବୈଠକ, ଉତ୍ସବ ଓ ଭିଡ଼କୁ ବନ୍ଦ କରିବାକୁ କହିଛି ପତ୍ରିକା । ବର୍ତ୍ତମାନ ବାୟୁ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ନେଇ ପତ୍ରିକା ଚେତାଇବା ପରେ ବନ୍ଦ କୋଠରୀରେ ହେଉଥିବା ଜନସମାଗମକୁ ବନ୍ଦ କରିବାକୁ ଲାନ୍ସେଟ୍ ପରାମର୍ଶ ଦେଇଛି ।

କରୋନା ଭୂତାଣୁ ପବନରେ ବ୍ୟାପିବା ନେଇ ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ବନ୍ଦ କୋଠରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପରାମର୍ଶ ଦେଇଛି । ଲାନ୍ସେଟ୍ ଇଣ୍ଡିଆ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି, ବାୟୁ ଚଳାଚଳ ହୋଇ ପାରୁନଥିବା ବନ୍ଦ କୋଠରୀରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିବ । ଏଭଳି ଭିଡ ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ଚେତାଇ ଦେଇଛି ଏହି ପତ୍ରିକା । ଏହି ପତ୍ରିକାର କୋଭିଡ ୧୯ କମିଶନର ଇଣ୍ଡିଆ ଟାସ୍କଫୋର୍ସ ପରାମର୍ଶ ଦେଇ କହିଛନ୍ତି, ଅତି କମ୍ରେ ୨ମାସ ପାଇଁ ବନ୍ଦ କୋଠରୀରେ ହେଉଥିବା ଭିଡକୁ ସାମୟିକ ଭାବେ ବନ୍ଦ କରାଯାଉ ।

ଏପ୍ରିଲ ଓ ମଇ ମାସ ପାଇଁ ସମସ୍ତ ସାମାଜିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ,ବିବାହ ଉତ୍ସବ, କ୍ରୀଡା ଉତ୍ସବ ଆଦିକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଚିନ୍ତା ବଢ଼ିଯାଇଛି । କିପରି ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ ଏନେଇ କଡ଼ା ଆଭିମୁଖ୍ୟ ଆପଣାଉଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁମାନେ ଛତିଶଗଡ଼ରୁ ସଂକ୍ରମିତ ହୋଇଆସିଛନ୍ତି ଜଣଙ୍କଠାରୁ ପ୍ରାୟ ୩୦ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ସେହିପରି କୌଣସି ବନ୍ଦ କୋଠରୀରେ ଅଧିକ ଲୋକ ଏକାଠି ହେଉଥିଲେ ସେହି କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ନେଇ ପରାମର୍ଶ ଦେଇଛି ଲାନସେଟ୍ ପତ୍ରିକା । କଣ୍ଟାକ୍ଟ ଟ୍ରେସିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଦିନକରେ ୧୩୪୧ ମୃତ ୨ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ :

ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୩୪ ହଜାର ୬୯୨ କରୋନା ପଜିଟିଭ୍ । ଏଥିସହ ଦିନକରେ ୧ ହଜାର ୩୪୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ତେବେ ଗତ ୨୪ ଘଣ୍ଟାର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ହେଲେଣି ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ଜଣ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଆକ୍ଟିଭ କେସ୍ ୧୬ ଲକ୍ଷ ୭୯ ହଜାର ୭୪୦ ଥିବାବେଳେ, ମହାମାରୀରେ ୧ ଲକ୍ଷ ୭୫ ହଜାର ୬୪୯ ଜଣ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୮ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ଦୈନିକ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩୭ଲକ୍ଷରୁ ଅଧିକରେ ପହଞ୍ଚିଛି ।

Comments are closed.