ପୁରୀ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ

72

ପୁରୀ : ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ ହୋଇଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୂତନ ଗାଇଡ୍ ଲାଇନ୍ ଜାରୀ କରାଯାଇଛି । ତଦନୁଯାୟୀ, ଆଜି ଠାରୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପାଇଁ ଆସିବାର ୯୬ ଘଂଟା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ନିଜର ଟେଷ୍ଟ କରାଇଥିବା ଆବଶ୍ୟକ ଏବଂ ଏହି ରିପୋର୍ଟ ନେଗେଟିଭ୍ ହୋଇଥିବ କିମ୍ବା ସମ୍ପୃକ୍ତ ବ୍ୟକ୍ତି କୋଭିଡ଼୍ ର ଦୁଇଟି ଯାକ ଡ଼ୋଜ୍ ଟୀକା ନେଇଥିବାର ଫାଇନାଲ୍ ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ।

ଯଦି ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ନେଗେଟିଭ୍ ରିପୋର୍ଟ କିମ୍ବା କରୋନାର ଦୁଇଟି ଡୋଜ୍ ଟୀକା ନେଇଥିବାର ସାର୍ଟିଫିକେଟ ଦେଖାଇ ପାରୁନାହାଁନ୍ତି, ତେବେ ତାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନି । ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ପ୍ରଥମେ ଏହି କିଓସ୍କରେ ନିଜ ନିଜର ପରିଚୟ ପତ୍ର ଦେଖାଇବେ । ନଚେତ୍ ସେମାନଙ୍କୁ ଦର୍ଶନ ଅନୁମତି ମିଳିବ ନାହିଁ । ମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ନିକଟରେ ଭୋଗ ଲାଗି କରିପାରିବେ ନାହିଁ । ଦୀପ ଜାଳି ପାରିବେ ନାହିଁ । ମନ୍ଦିର ଭିତରେ ରହିଥିବା କୌଣସି ପ୍ରତିମୂର୍ତିକୁ ସ୍ପର୍ଶ କରିପାରିବେ ନାହିଁ । ଭକ୍ତ ମାନେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ଶ୍ରୀମନ୍ଦିରକୁ ଯାଇ ବାହାର କାଠ ନିକଟରୁ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ । ଏତଦ୍ ବ୍ୟତୀତ ଏହି ନୂଆ ଏସଓପି ଅନୁଯାୟୀ, ଆସନ୍ତା ୨୪ ତାରିଖ ଠାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ସାନିଟାଇଜେସନ୍ ପାଇଁ ବନ୍ଦ ରହିବ ।

Comments are closed.