ସଂକ୍ରମଣ ରୋକିବାକୁ କଡ଼ା କଟକଣା : ୨୪ରୁ ରାଜ୍ୟରେ ସପ୍ତାହନ୍ତ ସଟ୍ଡାଉନ

63

କ’ଣ ଖୋଲା, କ’ଣ ବନ୍ଦ :

-ଜାରି ରହିବ ଜରୁରି ସେବା
-ଢାବା ଖୋଲିବ, କିନ୍ତୁ ପାର୍ସଲ ଦେଇପାରିବେ ଦୋକାନୀ
-ଗଣମାଧ୍ୟମ କର୍ମଚାରୀଙ୍କୁ ଯାଆସ ଅନୁମତି
-ଆବଶ୍ୟକ କାଗଜ ଦେଖାଇ ରୋଗୀ ଯାଇପାରିବେ
-ଜାରି ରହିବ ନାଇଟ୍ କର୍ଫ୍ୟୁ, ବିବାହରେ ୫୦
-ଯାତ୍ରା, ରଙ୍ଗମଞ୍ଚ ଓ ଅପେରା ଉପରେ କଟକଣା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଥିବା ରାଜ୍ୟ ସରକାର ଆସନ୍ତା ୨୪ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟ୍ଡାଉନ୍ ଘୋଷଣା କରିଛନ୍ତି ।

ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହୋଇଥିଲା । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ସକ୍ରିୟ ସଂକ୍ରମିତ ୪୫୦୦ ଥିବାବେଳେ ଏବେ ଦ୍ୱିତୀୟ ଲହରୀରେ ଆଜି ୪୪୪୫ଜଣ ସଂକ୍ରମିତ ଅଛନ୍ତି । ତେଣୁ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି ।

ପୂର୍ବରୁ ସୀମାବର୍ତ୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି,କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ସଟ୍ଡାଉନ୍ ରହିଛି । ଏବେ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା ବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ ।

ତେବେ ଏସବୁ ଏହା କେବଳ ସହରଞ୍ଚଳ(ପୌରାଞ୍ଚଳ ଓ ଏନ୍ଏସି) ପାଇଁ ଲାଗୁ ହେବ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଆଦିରେ କୋଭିଡ୍ ସଂକ୍ରମିତ ବୃଦ୍ଧି ପାଉଥିବା ଯୋଗୁ ସେଠାରେ ସଟ୍ଡାଉନ୍ ଘୋଷଣା ହୋଇଛି । ତେବେ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସାପ୍ତାହିକ ସଟଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ସଟ୍ଡାଉନ୍ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ମାଲବାହୀ ପରିବହନ ସେବା ଜାରି ରହିବ । ସେହିପରି ସ୍ୱାସ୍ଥ୍ୟସେବା, ଶକ୍ତି, ପାନୀୟ ଜଳ ଯୋଗାଣ, ଏଲ୍ପିଜି,ଟେଲିକମ୍, ଗଣମାଧ୍ୟମ ସଂସ୍ଥା ଆଦି ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟପତ୍ର ଦେଖାଇ ସେମାନେ ଯାତାୟାତ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି କରି ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବା ବେଳେ ବାହାଘରରେ ଯୋଗଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ ।

ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ,ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଟେଲ, ରେଷ୍ଟୁରାଣ୍ଟରେ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସ୍ଆରସି କହିଛନ୍ତି । ଏହା ସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।

Comments are closed.