କରୋନା ସଂକ୍ରମଣର ଭୟଙ୍କର ରୂପ : ଦିନକରେ ୨.୭୩ ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ, ୧୬୧୯ ମୃତ

61

ନୂଆଦିଲ୍ଲୀ : ଦିନକୁ ଦେଶରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସବୁ ରାଜ୍ୟରେ ଦୈନିକ ରେକର୍ଡ ବ୍ରେକିଂ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିକ୍ରମରେ ଆଜି ମହାମାରୀ କରୋନା ଭାରତରେ ସବୁ ରେକର୍ଡ ଭାଙ୍ଗି ଦେଇଛି ।

ଦିନକରେ ରେକର୍ଡ ୨,୭୩, ୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । କ୍ରମାଗତ ୪ର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କେବଳ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ମଧ୍ୟ ଉପର ମୁହାଁ ହୋଇଛି । ଗୋଟିଏ ଦିନରେ କରୋନା ୧୬୧୯ ଜଣଙ୍କ ମୁଣ୍ଡ ନେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୩୭,୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯କୁ ବୃଦ୍ଧି ପାଇଛି ।

ଗତ ୧୨ ଦିନ ମଧ୍ୟରେ ଦେଶର ପଜିଟିଭିଟି ରେଟ୍ ଦୁଇ ଗୁଣା ବୃଦ୍ଧି ପାଇ ୧୬.୭%ରେ ପହଞ୍ଚି ଯାଇଛି । ମହାମାରୀ କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଗତକାଲି ୨,୬୧,୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ ମୃତ୍ୟୁସଂଖ୍ୟା ମଧ୍ୟ ଦେଶରେ ବଢ଼ିବା ଆରମ୍ଭ ହୋଇଛି । ଗତକାଲି ୧୫୦୧ ଜଣଙ୍କ ମୁଣ୍ଡ ନେଇଥିବା କରୋନା ଆଜି ୧୬୧୯ ଜଣଙ୍କ ଜୀବନ ନେଇଛି ।

ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୮,୭୬୯କୁ ବୃଦ୍ଧି ପାଇଛି । ଏଯାଏ ୧,୨୯,୫୩,୮୨୧ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୧୯,୨୯,୩୨୯ ରହିଛି । ୨୪ ଘଣ୍ଟାରେ ୧ଲକ୍ଷ ୪୪ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି । କ୍ରମାଗତ ଭାବେ ଆକ୍ଟିଭ କେସ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ବଳର ଅଭାବ ଦେଖିବାକୁ ମିଳିଛି । କେଉଁଠି ବେଡର ଅଭାବ ଦେଖାଗଲାଣି ତ ଆଉ କେଉଁ ଅମ୍ଳଜାନର ସଙ୍କଟ ଦେଖିବାକୁ ମିଳିଛି ।

କରୋନା ଦ୍ୱାରା ମହାରାଷ୍ଟ୍ର ଓ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୨୪ ଘଣ୍ଟାରେ ୨୫,୪୬୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୫ଦିନିଆ କର୍ଫ୍ୟୁ ସତ୍ତେ୍ୱ ମହାରାଷ୍ଟ୍ରରେ ୬୮,୬୩୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଗୋଟିଏ ଦିନରେ କେବେହେଲେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଗତ ୨୪ ଘଣ୍ଟାରେ କରୋନା ମହାରାଷ୍ଟ୍ରରେ ୫୦୩ ଜଣଙ୍କ ମୁଣ୍ଡ ନେଇଛି । ଏହା ମଧ୍ୟ ସର୍ବକାଳୀନ ରେକର୍ଡ ।

ରାଜ୍ୟରେ ୪ହଜାର ପାର୍ :

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ହଜାର ଅତିକ୍ରମ କରିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏମାନଙ୍କ ଭିତରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ, କେନ୍ଦୁଝର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଅପରପକ୍ଷରେ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ଅଛନ୍ତିୟ ଏମାନଙ୍କ ଭିତରୁ ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଓ ଆରଜଣକ ୫୦ ବର୍ଷୀୟା ମହିଳା ଥିବା ସୂଚନା ରହିଛି । ଆଜି ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩,ବଲାଙ୍ଗୀରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତ୍ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯,ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩ରେ ପହଞ୍ଚିଛି ।
ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୬ହଜାର ୧୩୪ ସକ୍ରିୟ ଅଛନ୍ତି । ଏବେ ୨୪ହଜାର ୫୬୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଦିଲ୍ଲୀରେ ୨୬ ଯାଏ ଲକ୍ଡାଉନ :

ରାଜଧାନୀ ଦିଲ୍ଲୀରେ ଲାଗୁ ହେଲା ଲକ୍ଡାଉନ୍ । ଆଜି ରାତିରୁ ଦିଲ୍ଲୀରେ ଲକ୍ଡାଉନ୍ ଲାଗୁ ହେବ । ଆସନ୍ତା ୨୬ ତାରିଖ ଯାଏ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ । ଦିଲ୍ଲୀରେ ବିଗୁଡ଼ୁଥିବା କରୋନା ସଂକ୍ରମଣକୁ ଦେଖି ଉପରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବୈଠକ ପରେ ୭ ଦିନିଆ ଲକଡାଉନ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ଟା ଯାଏ ଲକ୍ଡାଉନ୍ ଲାଗୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ଲକ୍ଡାଉନ୍ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

ଅତ୍ୟାବଶ୍ୟକୀୟ ସେବା, ଖାଦ୍ୟ ଯୋଗାଣ ସେବା, ସ୍ୱାସ୍ଥ୍ୟସେବା ଆଦି ଜାରି ରହିବ । ସର୍ବାଧିକ ୫୦ ଜଣଙ୍କୁ ନେଇ ବିବାହ ଉତ୍ସବ ହୋଇପାରିବ । ଏଥିପାଇଁ ସ୍ୱତନ୍ତ୍ର ପାସ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ରବିବାର ଗୋଟିଏ ଦିନରେ ସର୍ବାଧିକ ୨୫ ହଜାର ୪୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି । ଶନବାର ଦିଲ୍ଲୀରେ ୨୪ ହଜାର ୩୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେଯାଏ ଦିଲ୍ଲୀରେ ମୋଟ ୮ଲକ୍ଷ ୫୩ ହଜାର ୪୬୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.