ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ

76

-ଗୋସାଗରେଶ୍ୱର ଛକରେ ଅଟକିଲା

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ସୁରୁଖୁରୁରେ ଆରମ୍ଭ ହୋଇ ଆଜି ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଛି । ରାତି ହେବାରୁ ରଥ ଟାଣିବା ପାଇଁ ଖରଡା ସେବାୟତ ଅମଙ୍ଗ ହେବାରୁ ଆସନ୍ତାକାଲି ରଥଟଣା ହେବ ବୋଲି ନିଷ୍ପତ୍ତି ହୋଇଛି । ତେବେ କୋଭିଡ-୧୯ କଟକଣା ଯୋଗୁଁ ଚଳିତ ଥର ମଧ୍ୟ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ ହୋଇଛି ।

ଏହା ମଧ୍ୟରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ରୁକୁଣାରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରିଛନ୍ତି । ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ(ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ) ବିରାଜମାନ କରିଛନ୍ତି । ସାରଥୀ ସାଜି ସ୍ୱୟଂ ବ୍ରହ୍ମା ରଥଚାଳନା କରୁଛନ୍ତି । ରୁକୁଣାରଥକୁ ସାଧାରଣ ଭକ୍ତମାନେ ଘରଛାତ ଓ ବାଲକୋନିରେ ଥାଇ ଦେଖୁଥିବା ବେଳେ ସେବାୟତ ଓ କର୍ମଚାରୀମାନେ ରଥ ଟାଣିଛନ୍ତି । ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ । ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା ହେଉଛି ।

ଆଗଭଳି ଆଉ ଏବର୍ଷ ରଥଦାଣ୍ଡ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ କୋଳାହଳରେ ଉଛୁଳି ପଡ଼ିବ ନାହିଁ । ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ବିନାମୋଡ଼ରେ ରଥ ଫେରିଥାଏ । ବିଧି ଅନୁସାରେ ରଥର ପଛପଟେ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚା ଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏହା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ସ୍ୱତନ୍ତ୍ର ନୀତି । ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାର୍ଶ୍ୱରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ ।

ବିଶେଷ କଥା ହେଉଛି, ଏହି ରଥର ନିର୍ମାଣଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛପାର୍ଶ୍ୱ ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ । ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ । ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଶ୍ରୀଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ । ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନର୍ବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଉଲ୍ଲେଖଯୋଗ୍ୟ ଏହି ରଥର ଉଚ୍ଚତା ୫୦ ଫୁଟ୍ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ ।

Comments are closed.