ଆତଙ୍କରେ କର୍ମଜୀବୀ

0 71

କରୋନା ମହାମାରୀ ଏବେ ସବୁଠି ଘାତକ ସାଜିଛି । ସାରା ଭାରତରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୨ଲକ୍ଷ ନିକଟବର୍ତ୍ତୀ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ୧୫୦୦ ଉପରେ ରହୁଛି । କରୋନାର ଏଭଳି ଘାତକ ଦୃଶ୍ୟ ପୂର୍ବବର୍ଷ ଦେଶ ଦେଖିନଥିବା ବେଳେ ଚଳିତବର୍ଷ ସବୁଠି ଆତଙ୍କ ଖେଳିଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ ଲକ୍ଡାଉନ୍ ଇତିମଧ୍ୟରେ ଲାଗୁ ହୋଇସାରିଲାଣି । ଯୋଗୁଁ କେତେକ ରାଜ୍ୟ ସରକାର ସେମାନଙ୍କ ବହୁ ସହରରେ ଲାଗୁ କରିଥିବାରୁ ଦୀର୍ଘକାଳୀନ ଲକଡାଉନ୍ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦ୍ୱାରା ଏହି ଭୟ ଅଧିକ ଘନୀଭୂତ ହୋଇଛି ଯେ ବାଧ୍ୟତାମୂଳକ ଭାବେ ତାଲାବନ୍ଦ କରାଯାଇପାରେ । କିନ୍ତୁ ଏହି ସମୟରେ ଅନେକ ରାଜ୍ୟରୁ ବିଶେଷକରି ମହାରାଷ୍ଟ୍ର, ଗୁଜୁରାଟ ଏବଂ ଦିଲ୍ଲୀ-ଏନସିଆରରୁ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରୁଥିବାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ । ଏହି କ୍ରମକୁ କେବଳ ବନ୍ଦ କରାଯିବା ଉଚିତ୍ ନୁହେଁ, ବରଂ ଶ୍ରମିକମାନେ ନର୍ଭସ ନହେବା ପାଇଁ ଏପରି ପଦକ୍ଷେପ ମଧ୍ୟ ନିଆଯିବା ଉଚିତ୍ । ଅନ୍ତତପକ୍ଷେ ଏହା ସୁନିଶ୍ଚିତ କରିବା ଉଚିତ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲକଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଗତବର୍ଷ ଠିକ୍ ଏହି ସମୟରେ ସାରା ଦେଶରେ ଯେଭଳି ଲକ୍ଡାଉନ୍ ହୋଇଥିଲା ଓ ସେହି ସମୟରେ ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ କେତେ ପରିମାଣରେ ବ୍ୟାପିଯାଇଥିଲା ଏବଂ କେଉଁ ପରିସ୍ଥିତିରେ ସେମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ ତାହା ସାରା ଦେଶ ଦେଖିଛି । ତେଣୁ ଗତବର୍ଷର ପରିସ୍ଥିତି ଯେଭଳି ଚଳିତବର୍ଷ ନଉପୁଜୁ ତାହା ପ୍ରତ୍ୟେକ ରାଜ୍ୟ ସରକାରମାନେ ବିଶେଷ ଧ୍ୟାନ ଦେବା ଉଚିତ୍ । ଗତବର୍ଷ ସମସ୍ତ ଶ୍ରମିକ ଶହ ଶହ କିଲୋମିଟର ପାଦରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ । ସେହି ସମୟର ହୃଦୟସ୍ପର୍ଶୀ ଦୃଶ୍ୟ ଭୁଲିଯିବା ଉଚିତ୍ ନୁହେଁ । ଯେହେତୁ ଶ୍ରମିକମାନେ ଏବେ ଶ୍ରମିକମାନେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ତେଣୁ କରୋନା ସଙ୍କଟର ଏହି ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ତଥା ସେମାନଙ୍କ ଜୀବିକା ଏବଂ ଖାଇବା ଯେପରି କୌଣସି ଅବହେଳା ନହୁଏ ସେଥିପ୍ରତି କନ୍ଦ୍ର ସରକାର ଯଥେଷ୍ଟ ଯତ୍ନବାନ ହେବା ଉଚିତ୍ । ସେହିପରି ସମସ୍ତ ରାଜ୍ୟ ସରକାରମାନେ ଏହି କାର୍ଯ୍ୟ ନିଜେ କରିବା ଉଚିତ୍ । ଶ୍ରମିକମାନଙ୍କ କାର୍ଯ୍ୟ ଛାଡ଼ି ଚାଲିଯିବା ଯୋଗୁଁ ଶିଳ୍ପଜଗତ ବିଶେଷ ପ୍ରଭାବିତ ହେଉଛି । ଫଳରେ ଅର୍ଥନୀତି ପୁଣି ସଙ୍କଟରେ ପଡିପାରେ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି । ସେହିପରି ଶିଳ୍ପଜଗତ ମଧ୍ୟ ଶ୍ରମିକମାନଙ୍କୁ ଏହି ଭରସା ଦେବା ଉଚିତ୍ କି କରୋନା ସଂକ୍ରମଣକୁ ରୋକିବା ପାଇଁ ସେମାନେ ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ସେମାନଙ୍କ ପରିବାରବର୍ଗଙ୍କୁ ବି ସାନ୍ତ୍ୱନା ଦେବା ବର୍ତ୍ତମାନ ସମୟରେ ଆହ୍ୱାନ ସୃଷ୍ଟି କରିଛି । ସେହିପରି ବିଭିନ୍ନ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ଗଢ଼ିଉଠିଥିବା ଶିଳ୍ପସଂସ୍ଥାର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବା ସହ ଶିଳ୍ପଜଗତ ସହ ଏକତ୍ର ହୋଇ କିଭଳି ଶ୍ରମିକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ସେ ଦିଗରେ ବି ପଦକ୍ଷେପ ନେବା ଉଚିତ୍ । ଆଜିର ଚିତ୍ର ଏଭଳି ଥିଲା ଯେ ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ଆରମ୍ଭ ହେବା ମାତ୍ରେ ପ୍ରବାସୀ ଶ୍ରମିକମାନେ ହଜାର ହଜାର ସଂଖ୍ୟାରେ ଦିଲ୍ଲୀ ଛାଡ଼ୁଥିବା ଦୃଷ୍ଟିଗୋଚର ହୋଇଥିଲା । ଏଭଳିକି ଖୁନ୍ଦାଖୁନ୍ଦି ହୋଇ ବସ୍ ଭିତରେ ବସିଥିବା ପରିଲକ୍ଷିତ ହୋଇଥିଲା । ଜୀବିକା ଅପେକ୍ଷା ଜୀବନକ୍ୁ ଅଧିକ ଗୁରୁତ୍ୱ ମନେ କରି ଘରମୁହାଁ ହୋଇଥିଲେ ବି ଯେଉଁ ପରିସ୍ଥିତିରେ ସେମାନେ ଏବେ ଆସୁଛନ୍ତି ତାହା ସଂକ୍ରମଣ ଅଧିକ ବୃଦ୍ଧିହେବା ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.