ଗ୍ରାସି ଚାଲିଛି ମହାମାରୀ : ୨୦ ଲକ୍ଷ ଟପିଲା ସକ୍ରିୟ ମାମଲା, ଦୈନିକ ମୃତ୍ୟୁ ୧୭୦୦ରୁ ଅଧିକ

64

-ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ଲଗାତାର ୪୧ ଦିନ ଧରି ଦେଶରେ କରୋନା ସଂକ୍ରମଣ ବି ଚାଲିଛି । ଦେଶରେ ପୁଣିଥରେ ଅଢ଼େଇ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨,୫୯,୧୭୦ ମାମଲା ଚିହ୍ନଟ ହୋଇଛି ଏବଂ ୧୭୬୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୫୩,୨୧,୦୮୯ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ଟପିଯାଇଛି । ଦେଶରେ ସକ୍ରିୟ ମାମଲା ୨୦ ଲକ୍ଷ ଟପିଯାଇଛି ଏବଂ ମୋଟ୍ ସକ୍ରିୟ ରୋଗୀ ସଂଖ୍ୟା ୨୦,୩୧,୯୭୭ ରହିଛି । ଏହା ମୋଟ୍ ସଂକ୍ରମଣ ମାମଲାର ୧୩.୨୬ ପ୍ରତିଶତ ।

ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୫.୫୬ ପ୍ରତିଶତକୁ ଖସି ଆସିଛି । ଆଇସିଏମ୍ଆର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ୨୬,୯୪,୧୪,୦୩୫ ନମୁନା ପରୀକ୍ଷା ହୋଇଛି । କେବଳ ଗତକାଲି ୧୫,୧୯,୪୮୬ ନମୁନା ପରୀକ୍ଷା ହୋଇଛି । ୧୦ ରାଜ୍ୟରେ ୭୭ ପ୍ରତିଶତରୁ ଅଧିକ ନୂଆ ମାମଲା ରହିଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼,ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନରେ ନୂଆ ସଂକ୍ରମଣ ମାମଲାର ୭୭.୬୭ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୫୮,୯୨୪ ମାମଲା ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶରେ ୨୮,୨୧୧ ଏବଂ ଦିଲ୍ଲୀରେ ୨୩,୬୮୬ ନୂଆ ମାମଲା ଚିହ୍ନଟ ହୋଇଛି ।

ତେବେ ଜାତୀୟ ମୃତ୍ୟୁ ହାର କମୁଛି ଏବଂ ଏହା ଏବେ ୧.୧୮ ପ୍ରତିଶତ ଅଛି । ଦେଶରେ ଏବେ କରୋନା ଚିକିତ୍ସା ପାଇଁ ୨,୦୮୪ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଅଛି ଏବଂ ୧୨,୦୦୦ କ୍ୱାରେଣ୍ଟାଇନ୍ ସେଣ୍ଟର ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆମର ମୃତ୍ୟୁହାର ଏବେ ୧.୧୮ ପ୍ରତିଶତ ଅଛି । କେବଳ ୧.୭୫ ପ୍ରତିଶତ ଲୋକ ଆଇସିୟୁରେ ଅଛନ୍ତି । ୦.୪୦ ପ୍ରତିଶତ ଭେଣ୍ଟିଲେଟର ସପୋର୍ଟ ଏବଂ ୪.୦୩ ପ୍ରତିଶତ ଆକ୍ସଇଜେନ ସପୋର୍ଟରେ ଅଛନ୍ତି । ବିଗତ ୩-ଚାରିଦିନରେ ବଡ଼ ହସ୍ପିଟାଲମାନଙ୍କରେ ୮୦୦ରୁ ଅଧିକ ଅଣ-ଆଇସିୟୁ ଅକ୍ସିଜେନ୍ ବେଡ୍ ଯୋଡ଼ାଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ସେହିପରି ଦେଶରେ କରୋନା ଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନଠାରୁ ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ପାଖାପାଖି ହୋଇ ଏଯାବତ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ଘଣ୍ଟା ମଧ୍ୟରେ ୨,୯୫,୦୪୧ କରୋନା ଭାଇରସ ଜନିତ ନୂତନ ସଂକ୍ରମଣ ଓ ୨,୦୨୩ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୬,୧୬,୧୩୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୨,୦୨୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୮୨,୫୫୩ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୬୭,୪୫୭ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୩୨,୭୬,୦୩୯ । ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୫୭,୫୩୮ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୩,୦୧,୧୯,୩୧୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୦ ସୁଦ୍ଧା ସମୁଦାୟ ୨୭,୧୦,୫୩,୩୯୨ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୬,୩୯,୩୫୭ଟି ନମୁନା ।

Comments are closed.