ମଇ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ ପାଇଁ ମାର୍ଗଦର୍ଶିକା ଜାରି

62

-ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ୧୭ଟି ଜିଲ୍ଲାରେ ମଇ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥି ସହ ଅନ୍‌ଲାଇନ୍ ରେ ପଂଜୀକୃତ ଚାଷୀଙ୍କଠାରୁ ଧାନକ୍ରୟ ନିମନ୍ତେ ଆଗୁଆ ଏସ୍‌ଏମ୍‌ଏସ୍ ସୂଚନା ପ୍ରଦାନ ଏବଂ ଏହାର ସମୟସୀମା ବୈଧତା ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି । ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତ୍ୟେକ ସୋସାଇଟିରେ ସେହି ସୋସାଇଟିର ପଂଜୀକୃତ ଓ ଯାଂଚ ହୋଇଥିବା ଚାଷୀଙ୍କଠାରୁ ଅନ୍‌ଲାଇନ୍ ରେ ପି-ପାସ୍ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଧାନସଂଗ୍ରହ କରାଯିବ । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସୋସାଇଟି ନିମନ୍ତେ କଷ୍ଟମ ମିଲରମାନଙ୍କୁ ନିୟୋଜିତ କରିବେ । କଷ୍ଟମ ମିଲରମାନେ ସଂଯୁକ୍ତ ହୋଇଥିବା ସୋସାଇଟିରୁ କେତେ ପରିମାଣର ଧାନ ଉଠାଣ କରିପାରିବେ ସେ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଲକ୍ଷ୍ୟ ଧାର୍ଯ୍ୟ କରିବେ ।

ଏଥି ସହିତ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟିର ନିଷ୍ପତି ଅନୁସାରେ ଧାନସଂଗ୍ରହ ଦିନ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ଧାନ ବିକ୍ରିର ସର୍ବୋଚ୍ଚ ସୀମା ଓ ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଅନ୍‌ଲାଇନ୍ ମାଧ୍ୟମରେ ସୂଚୀତ କରାଯିବ । ଜିଲ୍ଲାସ୍ତରରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରରେ ସପ୍ତାହର କେଉଁ କେଉଁ ଦିବସରେ ଧାନସଂଗ୍ରହ କରାଯିବ ସେ ସଂପର୍କରେ ସୂଚନା ପ୍ରଦାନ କରାଯିବ ।ଜିଲ୍ଲାସ୍ତରରେ ଉପରୋକ୍ତ କାର୍ଯ୍ୟ ସମାପନ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍ ମାଧ୍ୟମରେ ପଂଜୀକୃତ ଚାଷୀମାନଙ୍କ ନିକଟକୁ ଧାନସଂଗ୍ରହ ବାବଦରେ ଏସ୍‌ଏମ୍‌ଏସ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ଏସ୍‌ଏମ୍‌ଏସ୍ ପଂଜୀକୃତ ଚାଷୀଙ୍କ ମୋବାଇଲ୍ ଫୋନକୁ ଓଡ଼ିଆରେ ପ୍ରେରଣ କରାଯିବ ।

ଏଥିରେ ଚାଷୀମାନେ କେଉଁ ଦିନ କେତେ ପରିମାଣର ଧାନ ନିର୍ଦ୍ଧାରିତ ଧାନସଂଗ୍ରହ କେନ୍ଦ୍ରକୁ ଆଣିବେ ସେ ସଂପର୍କରେ ସୂଚୀତ କରାଯାଇଥିବ । ୭ ଦିନ ପୂର୍ବରୁ ଏହି ଏସ୍‌ଏମ୍‌ଏସ୍ ବାର୍ତା ଚାଷୀଙ୍କ ନିକଟକୁ ପ୍ରେରଣ କରାଯିବ । ଏଥି ସହିତ ଚାଷୀମାନଙ୍କୁ ଏସ୍‌ଏମ୍‌ଏସ୍ ପଠାଯାଇଥିବା ସଂପର୍କରେ ସୋସାଇଟିମାନଙ୍କୁ ମଧ୍ୟ ସୂଚୀତ କରାଯିବ ଯେପରିକି ସେମାନେ ସଂପୃକ୍ତ ଚାଷୀମାନଙ୍କୁ ଏ ସଂପର୍କରେ ଆଗୁଆ ସୂଚନା ପ୍ରଦାନ କରିପାରିବେ ।ଏହି ବ୍ୟବସ୍ଥାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସେମାନଙ୍କର ବଳକା ଧାନ ବିକ୍ରି ନିମନ୍ତେ ଅଗ୍ରାଧିକାର ଦିଆଯିବ ।

୭୦ ପ୍ରତିଶତ ଏସ୍‌ଏମ୍‌ଏସ୍ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରେରଣ କରାଯିବ ଏବଂ ମଧ୍ୟମ ଓ ବୃହତ୍ ଚାଷୀମାନଙ୍କୁ ୩୦ ପ୍ରତିଶତ ଏସ୍‌ଏମ୍‌ଏସ୍ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ରବିଧାନ ସଂଗ୍ରହ ନିମନ୍ତେ ଏସ୍‌ଏମ୍‌ଏସ୍ ର ୧୫ ଦିନ ପର୍ଯ୍ୟନ୍ତ ବୈଧତା ରହିବ । ଯଦି ଚାଷୀ ଏସ୍‌ଏମ୍‌ଏସ୍ ପାଇବାର ୭ ଦିନ ମଧ୍ୟରେ ମଣ୍ଡିକୁ ଧାନ ନ ଆଣିଲେ, ତେବେ ତାକୁ ପରବର୍ତୀ ୫ ଦିନ ମଧ୍ୟରେ ମଣ୍ଡିକୁ ଧାନ ଆଣିବା ପାଇଁ ମୋବାଇଲ୍ ରେ ଆଉ ଏକ ମେସେଜ୍ ପଠାଯିବ ।ଏହି ବ୍ୟବସ୍ଥାରେ ଧାନସଂଗ୍ରହ କରୁଥିବା ସୋସାଇଟିମାନେ ପ୍ରତିଦିନର ଧାନସଂଗ୍ରହର ପରିମାଣ ଓ ଏସ୍‌ଏମ୍‌ଏସ୍ ବାର୍ତା ଅନୁସାରେ ଧାନ ବିକ୍ରି କରିଥିବା ଚାଷୀଙ୍କ ତଥ୍ୟ ଅନ୍‌ଲାଇନ୍ ରେ ପ୍ରଦାନ କରିବେ । ଏହା ଦ୍ୱାରା ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ମଣ୍ଡିକୁ ଅନଧିକୃତ ଧାନ ଆଣିବା ଉପରେ ନଜର ରଖାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

Comments are closed.