ରାଜଧାନୀରେ ଧରାପଡ଼ିଲା ହାଇ ପ୍ରୋଫାଇଲ୍ ଠକ ଗ୍ୟାଙ୍ଗ୍ : ୩ ପୋଲିସ କର୍ମଚାରୀଙ୍କ ସମେତ ୮ ଗିରଫ: କୋଟିଏ ଟଙ୍କା ଜବତ

53

ଭୁବନେଶ୍ୱର : ଏକାଠି ନଗଦ କୋଟିଏ ଟଙ୍କାର ବିଡା ବିଡା ନୋଟ ଆପଣ ଓ ଆମ ପରି ସାଧାରଣ ଲୋକ ଯେଉଁଠି ଦେଖିବା ସ୍ୱପ୍ନ ସେଠି ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ ୩ ପୋଲିସ କର୍ମଚାରୀ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡ୍ର ଷଡଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ୨ କନଷ୍ଟେବଳ ଓ ଜଣେ ହାବିଲଦାର । ନଗଦ ୯୯ ଲକ୍ଷ ୫୦ ହଜାର ଟଙ୍କା । ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ୍ କରିବା ପରେ ଏହି ଟଙ୍କା ଜବତ କରିଥିଲା । ହେଲେ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଲୁଟିବା ପାଇଁ କିଛି ପୋଲିସ କର୍ମଚାରୀ ଯେଉଁ ମାଷ୍ଟର ପ୍ଲାନ୍ କରିଥିଲେ, ତାହା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରାଇଦେବ । ଠକାମୀର ଶିକାର ହୋଇଛନ୍ତି କରଞ୍ଜିଆର କମଳ ସାହା ନାମକ ବ୍ୟବସାୟୀ । କୋଟିଏ ଟଙ୍କାକୁ ଦେଢକୋଟି ଟଙ୍କା କରିଦେବାର ଲୋଭ ଦେଖାଇ ତାଙ୍କୁ ଭୁବନେଶ୍ୱର ଡାକିଥିଲେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢୀ ଓ ରାଜ ରାଇ ବାହାଦୂର । ଲୋଭର ବଶବର୍ତ୍ତୀ ହୋଇ କମଳ ୧ କୋଟି ଟଙ୍କା ନେଇ ଭୁବନେଶ୍ୱର ଆସିଥିଲେ । ୪୦ଟି ପ୍ୟାକେଟ୍ ରେ କୋଟିଏ ଟଙ୍କା ଥିବାବେଳେ ପ୍ରତି ପ୍ୟାକେଟ୍ ରେ ରହିଥିଲା ଅଢେଇ ଲକ୍ଷ ଟଙ୍କା । ଓୟୋ ହୋଟେଲରେ କାରବାର ଚାଲିଥାନ୍ତା । ହେଲେ ଷଡଯନ୍ତ୍ରରେ ସାମିଲ ପୋଲିସ ଅଧିକାରୀ ସେଠାରେ ବେଟିଂ ଚାଲୁଥିବା କହି ରେଡ୍ କରାଇଥିଲେ । ଉଦ୍ଦେଶ୍ୟ ଥିଲା ବ୍ୟବସାୟୀଙ୍କ ଟଙ୍କା ହଡପ କରିବା । ପୋଲିସ ୩୧ଟି ଟଙ୍କା ପ୍ୟାକେଟ୍ ଜବତ କରିଥିବା ବେଳେ ୯ଟି ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ ହାବିଲଦାର ଦିଲ୍ଲି ମଲ୍ଲିକ ସମେତ ୨ କନଷ୍ଟେବଳ ସନ୍ଦୀପ ପୃଷ୍ଟି, ଓ ପ୍ରଫୁଲ୍ଲ ଭୂୟାଁ । ପୋଲିସ ତଦନ୍ତ କରି ୮ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ କୋଟିଏ ଟଙ୍କା ଜବତ କରିଛି ।

Comments are closed.