ମୃତକଙ୍କୁ କାନ୍ଧ ଦେଲେ ନାହିଁ ଆତ୍ମୀୟ ; ବିପଦର ବନ୍ଧୁ ସାଜିଲେ ପ୍ରଶାସନିକ ଅଧିକାରୀ

79

ଗଞ୍ଜାମ : କରୋନା ଆଶଙ୍କାରେ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ନାହିଁ ବନ୍ଧୁ ପରିଜନ । ଆଉ ଏଭଳି ବିପଦ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଦୁଇ ଯୁବକ କଲେ ଅନ୍ତିମ ସଂସ୍କାର । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ଗ୍ରାମରେ । ଡି. ଗୋବିନ୍ଦ (୪୮) ନାମକ ଜଣେ ଯୁବକ ପାରାଦ୍ଵୀପରେ ରହି କାର୍ଯ୍ୟ କରୁଥିଲେ। ଶନିବାର ନିଜ ଘରକୁ ଆସି ରାତିରେ ଭୋଜନ ସାରି ଶୋଇଥିଲେ । ଆଉ ସକାଳୁ ପରିବାର ସଦସ୍ୟ ତାଙ୍କୁ ନିଦରୁ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ । କୋଭିଡ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ କରି ଶବକୁ ମଧ୍ୟ ଛୁଇଁନଥିଲେ ପରିବାର ଲାେକେ । ମୃତ୍ୟୁ ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଥିଲା ।

ଏଭଳି ଦୁଃଖ ଖବର ପାଇଁ ନିଜକୁ ଆଉ ଆୟତ୍ତରେ ରଖି ପାରିନଥିଲେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ.ମନୋରଞ୍ଜନ ସାହୁ । ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ସମରଝୋଳ ଗ୍ରାମରେ ପହଞ୍ଚିବା ପାଇଁ ନିର୍ଦେଶ ଦେଇ ନିଜେ ମଧ୍ୟ ପହଞ୍ଚିଥିଲେ ଘଟଣାସ୍ଥଳରେ । ଦୁଇ ପ୍ରଶାସନିକ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଗୌତମ କୁମାର ସାହୁ, ବଡ଼ଖଣ୍ଡି ଗ୍ରାମ ରୋଜଗାର ସେବକ ମାନସ ସାହୁ, ଗ୍ରାମର ସ୍ଵେଚ୍ଛାସେବୀ ଯୁବକ ଏନ.ଜୟନ୍ତ, ବାବୁ ଗୌଡ଼ ପିପିଇ କିଟ୍, ଗ୍ଲୋବସ୍ ପରିଧାନ କରି ମର୍ଯ୍ୟାଦାର ସହ ଗୋବିନ୍ଦଙ୍କ ନିଜ ଗ୍ରାମରେ ଶବ ସତ୍କାର କରିଛନ୍ତି ।ବର୍ତ୍ତମାନ ସମାଜରେ ମହାମାରୀ କରୋନା ତାର କରାଳ ରୂପ ଦେଖାଇବା ସହ ପ୍ରତିଦିନ ଅନେକ ଜୀବନ ନେଉଛି ।

ଏଭଳି ଘଟଣା ଯେତେ ପରିମାଣରେ ଦୁଃଖ ଦେଉଛି ତାଠାରୁ ଦୁଃଖ ହେଉଛି କରୋନା କାଳରେ କାହାର ମୃତ୍ୟୁ ହେଲେ ମିଳିପାରୁନାହିଁ ଚାରି କାନ୍ଧ। ମଣିଷ ଜୀବନରେ କାହାର କେତେ ବେଳେ ମରଣ ଆସେ ତାହା କହିବା ମୁସ୍କିଲ, କିନ୍ତୁ ମୃତ୍ୟୁ ବେଳେ ତାର ଅନ୍ତିମ ସଂସ୍କାରରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ଚାରି କାନ୍ଧ ଆବଶ୍ୟକ ପଡିଥାଏ । ରୋଗରେ ସଂକ୍ରମଣ ହେବା ଭୟରେ ମଣିଷର ମଣିଷ ପଣିଆ ମାରିଦେଉଛି କରୋନା । ବିପଦ ସମୟରେ ଶବ ସଂସ୍କାରରେ ନିୟୋଜିତ ଥିବା ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି । ଏହି ସମୟରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତି ରହି ସହଯୋଗ କରିଥିଲେ ।

Comments are closed.