ପଣସ ବୋଝେଇ ଟ୍ରକରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ : ୩ ଗିରଫ

67

ଜୟପୁର : କୋରାପୁଟ ଜିଲ୍ଲା ଜଳାପୁଟ ଅଂଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଏକ ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଭର୍ତି କରି ଚୋରାଚାଲାଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣରେ ଗଞ୍ଜେଇ । ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।       

କୋରାପୁଟ ଏସପି କୌଣସି ଏକ ସୂତ୍ରରୁ  ଜଳାପୁଟ ଅଞ୍ଚଳର ଜବାଗଡ଼ ଠାରୁ ଏକ ଟ୍ରକରେ  ଗଞ୍ଜେଇ ଭର୍ତି କରି ଚାଲାଣ ହେଉଥିବା ନେଇ ଖବର ପାଇଥିଲେ । ଏସପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ ଏକ ୩ ଜଣିଆ ଟିମ୍ ଗଠନ କରି ଟିକାପୁଟ ଛକ ନିକଟରେ   ଗାଡିଗୁଡିକୁ ଅଟକାଇ ଯାଞ୍ଚ୍ କରିଥିଲେ । ଠିକ୍ ସେହି  ସମୟରେ ଜବାଗଡ଼ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଟ୍ରକକୁ ଅଟକାଇ ଥିଲେ ।  ପରେ ଗାଡିକୁ  ଯାଞ୍ଚ କରିଥିଲେ ଏବଂ  ପଣସ ବୋଝେଇ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ପରେ  ମାଛକୁଣ୍ଡ ପୁଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିବା ସହ ଘଟଣାରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଂଚଳର ୩ ଜଣଙ୍କୁ  ଗିରଫ କରିଛି ।

ସେମାନେ ହେଲେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣ । ଜବତ ଟ୍ରକରୁ ୧ ହଜାର ୮ କେଜି  (୧ ଟନ୍ ୮ କେଜି)  ଗଞ୍ଜେଇ ମଧ୍ୟ ପୁଲିସ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ନନ୍ଦପୁର ଏସଡ଼ିପିଓ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି  । ଏଥିସହ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ମଧ୍ୟ ପୁଲିସ ଜବତ କରିଛି । ଜବାଗଡ ଅଂଚଳରୁ ଏକ ଅଭିନୟ ଉପାୟରେ ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଭର୍ତି କରି ସଗର, ପାଡୁଆ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ନନ୍ଦପୁର ଏସଡ଼ିପିଓ ପ୍ରକାଶ କରିଥିବା ବେଳେ ମାଛକୁଣ୍ଡ ପୁଲିସ ପାଇଁ ଏହା ଏକ ବଡ ସଫଳତା ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି । 

Comments are closed.