ଦେଶରେ ଖସୁଛି ଟିକାକରଣ ହାର

68

-ଦୈନିକ ୪୨ଲକ୍ଷ ଡୋଜ୍ରୁ ଖସି ୧୮ଲକ୍ଷରେ ପହଞ୍ଚିଲାଣି

-ଜୁଲାଇ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ସମସ୍ୟା

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ୱେଭ୍ ଏବେ ତାଣ୍ଡବ ରଚୁଛି । ଏଭଳି ସ୍ଥିତିରେ ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଟିକା ଅଭାବ ନେଇ ସାରାଦେଶରେ ହାହାକାର ପରିସ୍ଥିତି ଉପୁଜିଛି । ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପରିବର୍ତ୍ତେ ଦ୍ରୁତ ହାରରେ ଖସୁଛି । ଏପ୍ରିଲରେ ଯେତିକି ଟିକାକରଣ ହେଉଥିଲା,ଏବେ ଦୈନିକ ହାରାହାରି ୨୩ଲକ୍ଷ କମ୍ ଟିକା ଦିଆଯାଉଛି । ଏଥିପାଇଁ ୨/୩ଟି ପ୍ରମୁଖ କାରଣକୁ ଦାୟୀ କରାଯାଇପାରେ । ଆବଶ୍ୟକତା ଅନୁସାରେ ଟିକା ଉତ୍ପାଦନ ନହେବା ଏବଂ ଟିକା ନଷ୍ଟ ଯୋଗୁ ଏହି ପ୍ରକ୍ରିୟା ଆଗେଇ ପାରୁନଥିବା ଜଣାଯାଇଛି ।

ଜୁଲାଇ ପର୍ଯ୍ୟନ୍ତ ଏଭଳି ନିଅଣ୍ଟିଆ ପରିସ୍ଥିତି ଦେଖାଦେବା ଆଶଙ୍କା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏପ୍ରିଲ ୨ ତାରିଖରେ ଦେଶରେ ୪୨ଲକ୍ଷ ଡୋଜ୍ ଟିକା ଦିଆଯାଇଥିଲା । ମେ ୪ ତାରିଖରେ ଏହା ୧୮ଲକ୍ଷ ଡୋଜ୍କୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ଦିଆଯାଇଛି ୧୯ଲକ୍ଷ ୫୫ହଜାର ଡୋଜ୍ ଟିକା । ଅର୍ଥାତ୍ ମାସେ ଭିତରେ ଦୈନିକ ହାରାହାରି ୨୩ ଲକ୍ଷ କମ ଟିକାକରଣ ହୋଇଛି ।

ବର୍ତ୍ତମାନ ଦେଶରେ ୧୬କୋଟି ୨୫ଲକ୍ଷ ୧୩ ହଜାର ଭ୍ୟାକ୍ସିନ୍ ଦିଆଗଲାଣି । ଏଥିରୁ ୩ କୋଟି ଲୋକ ଦୁଇଟି ଯାକ ଡୋଜ୍ ନେଇଛନ୍ତି । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏତେ ସହଜ ନୁହେଁ । ପୂର୍ବରୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ଆଦର ପୁନାୱାଲା ସୂଚାଇ ଦେଇଥିଲେ ଯେ, ଜୁଲାଇ ପର୍ଯ୍ୟନ୍ତ ଟିକାର ଅଭାବ ଜାରି ରହିବ । ମେ ୧ରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ବର୍ଷ ବର୍ଗଙ୍କ ପାଇଁ ମାସକୁ ଆବଶ୍ୟକ ୨୦ରୁ ୨୫କୋଟି ଡୋଜ୍ ଭ୍ୟାକ୍ସିନ୍ । ମାତ୍ର ମାସକୁ ୭ରୁ ୮କୋଟି ଟିକା ଉପଲବ୍ଧ ହେଉଛି । ଏବେ ଟିକା ଉତ୍ପାଦନ, ଯୋଗାଣ ଏବଂ ଟିକାକରଣ ଯେଉଁ ଗତିରେ ଚାଲିଛି ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବା ପାଇଁ ୩ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି ।

କୋଭିଶିଲ୍ଡ ଟିକାର ଘୋର ଅଭାବ : ଦ୍ୱିତୀୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା

ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଟିକାର ଅଭାବକୁ ନେଇ ଏବେ ହାହାକାର ପରିସ୍ଥିତି ଦେଖାଦେଇଛି । ବିଶେଷକରି କୋଭିଶିଲ୍ଡ ଟିକାର ଘୋର ଅଭାବ ଦେଖାଦେଇଥିବାରୁ ରାଜ୍ୟବାସୀଙ୍କୁ ପୁଣି ସଚେତନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ୍ ସୁରୁଖୁରରେ ମିଳିପାରିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି । ଏହାବାଦ୍ ଟିକା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି, ଟିକା କମ୍ପାନୀ ସହ ମଧ୍ୟ ରାଜ୍ୟ ସରକାର ଲଗାତାର ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକାର କୌଣସି ଅଭାବ ନାହିଁ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟିକା ଆସିଲେ ଟିକାକରଣ ସୁରୁଖୁରରେ ଚାଲିବ । ତେବେ ଟିକା ନେବା ପାଇଁ ଲୋକମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ସହିତ ସ୍ଲଟ୍ ବୁକିଂ କରି ଟିକାକେନ୍ଦ୍ରକୁ ଯାଆନ୍ତୁ । ଅଯଥାରେ ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରକାରୀ ହସ୍ପିଟାଲରେ ନେଇଛନ୍ତି ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ।

ଏଯାବତ୍ ଆମ ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୮୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ୨ୟ ଡୋଜ୍ ନେଇସାରିଲେଣି । ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ମଧ୍ୟ ଆଗେଇ ଚାଲିଛି । ମେ ପହିଲାରୁ ଆରମ୍ଭ ହୋଇଥିବା ସାବାଳକ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଅଞ୍ଚଳରେ ଏହାର ଅଭାବ ଦେଖିବାକୁ ମିଳିଛି । ତେବେ ଟିକା ଆସିଲେ ଟିକାକରଣ ଯଥାରୀତି ଚାଲିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ତେବେ ଟିକାକରଣ ବେଳେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷାରତ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।

Comments are closed.