କରୋନାରେ ଛୋଟା ରାଜନର ମୃତ୍ୟୁ ଖବର ମିଛ

70

ନୂଆଦିଲ୍ଲୀ : ମହାମାରୀ କରୋନାରେ ଅଣ୍ଡର ୱାର୍ଲ୍ଡ ଡନ୍ ଛୋଟା ରାଜନ ପ୍ରାଣ ହରାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ । କରୋନାରେ ଆକ୍ରାନ୍ତ ହୋଇ ଏବେ ବି ଏମ୍ସରେ ସେ ଚିକିତ୍ସାଧୀନ ରହିଛି । କିଛି ଜାତୀୟ ଗଣମାଧ୍ୟମରେ ଛୋଟା ରାଜନ ଆଜି ସକାଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା । ଏହାପରେ ଏମ୍ସ କର୍ତ୍ତୃପକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଏମ୍ସ ପକ୍ଷରୁ କୁହାଯାଇଛି ଯେ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସକୁ ଆସିଥିଲା । ସେବେଠାରୁ ସେଏଠାରେ ଚିକିତ୍ସିତ ହେଉଛି । ସେ ଜୀବିତ ରହିଛି । ତା’ର ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ଖବର ମିଛ ।

୬୧ ବର୍ଷୀୟ ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସରେ ଭର୍ତ୍ତି ହୋଇଥିଲା । ୨୦୧୫ରେ ତା’କୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା । ତା’କୁ ଇଣ୍ଡୋନେସିଆ ସରକାର ଭାରତକୁ ପ୍ରତ୍ୟର୍ପଣ କରିଥିଲେ । ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ରହିଥିଲା । ଜେଲରେ ରହିବା ବେଳେ ହିଁ ସେ ଅସୁସ୍ଥ ହେବାରୁ ତାକୁ ଏପ୍ରିଲ ୨୬ରେ ଏମ୍ସକୁ ନିଆଯାଇଥିଲେ । ସେଠାରେ ତା’ର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା । ଏହି କାରଣରୁ ସେ ସୋମବାର ଦିନ ଗୋଟିଏ ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇପାରି ନଥିଲା । ରାଜନ ନାଁରେ ମହାରାଷ୍ଟ୍ରରେ ୭୦ରୁ ଅଧିକ ମାମଲା ରହିଛି । ସେ ଦୀର୍ଘ ଦିନ ହେଲା ଫେରାର ରହିଥିଲେ ହେଁ ଶେଷରେ ୨୦୧୫ରେ ଗିରଫ ହୋଇଥିଲା ।

Comments are closed.