ଅଗଷ୍ଟ ସୁଦ୍ଧା ଭାରତରେ ୧୦ଲକ୍ଷ ମୁଣ୍ଡ ନେବ କରୋନା !

57

-ଚିନ୍ତା ବଢ଼ାଇଲା ଲାନ୍ସେଟ୍ ରିପୋର୍ଟ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଆହୁରି ଭୟଙ୍କର ହେବ । ଅଗଷ୍ଟ ପହିଲା ସୁଦ୍ଧା ଦେଶରେ ଦଶ ଲକ୍ଷ ଲୋକଙ୍କ ଜୀବନ ଯିବ । ଏକଥା ଆମେ କହୁନୁ ବ୍ରିଟେନ୍ର ମେଡିକାଲ ଜର୍ଣ୍ଣାଲ୍ ଦି ଲାନ୍ସେଟ୍ରେ ପ୍ରକାଶ ପାଇଛି । ଏଥିପାଇଁ ସିଧା କେନ୍ଦ୍ର ସରକାରଙ୍କୁ ଦାୟୀ ମଧ୍ୟ କରାଯାଇଛି । ମୋଦୀ ସରକାର ଦ୍ୱିତୀୟ ଲହର ସମୟରେ ବହୁ ତ୍ରୁଟି କରିଥିବା ଏଥିରେ ଦର୍ଶାଯାଇଛି । ଏପରିକି କେନ୍ଦ୍ର ସରକାର ମହାମାରୀ ସଂକ୍ରମଣ ନେଇ ଟ୍ୱିଟ୍ର, ସୋସିଆଲ ମିଡିଆରେ ହେଉଥିବା ସମାଲୋଚନା ଉପରେ ଲଗାମ ଲଗାଇବାକୁ ଅଧିକ ପ୍ରୟାସ କରୁଥିବା ପ୍ରକାଶ କରାଯିବା ସହିତ ସାଧାରଣ ସ୍ୱାସ୍ଥ୍ୟସେବା ଉପରେ ନିଆଯାଉଥିବା ପଦକ୍ଷେପକୁ ଏଥିରେ ପ୍ରଶ୍ନ ଉଠାଯାଇଛି । ଜର୍ଣ୍ଣାଲରେ ପ୍ରକାଶିତ ସମ୍ପଦକୀୟରେ ଭାରତରେ ୧ ଅଗଷ୍ଟ ୨୦୨୧ ବେଳକୁ ଭାରତରେ ଏକ ମିଲିୟନ ଅର୍ଥାତ ୧୦ ଲକ୍ଷ ଲୋକଙ୍କ କରୋନରେ ମୃତ୍ୟୁ ହେବ ବୋଲି ଲେଖାଯାଇଛି ।

ଯଦି ଏହା ବାସ୍ତବରେ ପରିଣତ ହୁଏ ତେବେ ଏଥିପାଇଁ ଭାରତ ସରକାର ଦାୟୀ ରହିବେ ବୋଲି ମଧ୍ୟ ଉଲ୍ଲେଖ ରହିଛି । ରିପୋର୍ଟ ଅନୁସାରେ ଆଗାମୀ ୩ ମାସରେ ସାଢ଼େ ୭ ଲକ୍ଷ ଜୀବନ ନେବ କରୋନା । ଇନଷ୍ଟିଚ୍ୟୁଟ୍ ଫର ହେଲଥ୍ ଆଣ୍ଡ ଇଭାଲ୍ୟୁସନ୍ ଅନୁସାରେ ସମ୍ପାଦକୀୟରେ ପ୍ରକାଶ ପାଇଛି ଯେ, ଭାରତ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳତା ପ୍ରକାଶ କରୁଥିବାରୁ ପରିଣାମ ଭୋଗ କରୁଛି । ଭାରତ ସରକାରଙ୍କୁ ଦାୟୀ କରି ଏଥିରେ ଲେଖାଯାଇଛି, ଚେତାବନୀ ସତ୍ତେ୍ୱ ସରକାର ସୁପରସ୍ପ୍ରେଡର ଇଭେଣ୍ଟ ଯଥା ଧାର୍ମିକ ସମାବେଶ କରିବାକୁ ଅନୁମତି ଦେଇଥିଲେ । ରାଜନୈତିକ ରାଲି କରାଗଲା, ଯେଉଁଥିରେ କରୋନା ପ୍ରୋଟୋକଲର ପାଳନ କରାଯାଇନଥିଲା ।

ଏହାସହ ଟିକାକରଣ ଧିମା ହେବା ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହର ନେଇ ଚେତାବନୀ ମିଳିବା ପରେ ବି ତାହାକୁ ଗୁରୁତ୍ୱ ଦିଆଯାଇନଥିଲା । ମାର୍ଚ୍ଚରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କରୋନାକୁ ଏଣ୍ଡଗେମ୍ ବୋଲି ଘୋଷଣା କରିଦେଇଥିଲେ । ଏମିତି କିଛି ହେଲା ନାହିଁ ଏବଂ କରୋନା ବିସ୍ଫୋରଣ ଘଟିଲା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି । ଏହାସହ କରୋନା ମୁକାବିଲା ପାଇଁ ଲାନସେଟ ପରାମର୍ଶ କରିଛି । ଟିକାକରଣକୁ ଗତି ଦେବା ଏବଂ ଟିକା ଉତ୍ପାଦନ ବଢ଼ାଇବା ସହ ଯୋଗାଣ ପାଇଁ କ୍ୟାମ୍ପେନ ଆରମ୍ଭ କରିବା ଦରକାର । ଏହାସହ ଲକ୍ଡାଉକୁ ଅସ୍ୱୀକାର କରାନଯାଉ । ଲୋକଙ୍କ ସାମ୍ନାରେ ସଠିକ୍ ତଥ୍ୟ ଦେବା ଦରକାର । ଲୋକେ ଜାଣିବା ଦରକାର ପ୍ରକୃତରେ ଦେଶରେ କ’ଣ ହେଉଛି ।

Comments are closed.