ପତିତପାବନ ଵାନାରେ ପଡିଲା ଶୂନ୍ୟଗଣ୍ଠି

68

ପୁରୀ : ଶ୍ରୀମନ୍ଦିର ନୀଳଚକ୍ରରେ ଲାଗି ହୋଇଥିବା ପତିତପାବନ ବାନାରେ ଗତକାଲି ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି । କାଳବୈଶାଖୀଜନିତ ପବନ ଓ ବର୍ଷାରେ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା । ମୁଖ୍ୟ ଧ୍ୱଜା ବନ୍ଧା ଯାଇଥିବା ବାଉଁଶ ନଇଁ ପଡ଼ିଥିଲା, ହେଲେ ଧ୍ୱଜା ଅକ୍ଷୁର୍ଣ୍ଣ ରହିଥିଲା । ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର ବାନା ପରିଵର୍ତ୍ତନ କରିବା ପାଇଁ ଶ୍ରୀମନ୍ଦିର ଚୂଡ଼ାରେ ପହଞ୍ଚିଥିଲେ । ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ । ଯାହାକି ଅତ୍ୟନ୍ତ ବିରଳ ଘଟଣା। 

ବରିଷ୍ଠ ଚୁନରା ସେବକ ଡକ୍ଟର ଶରତ ମହାନ୍ତି କହିଛନ୍ତି ଯେ, ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା । କିନ୍ତୁ ଯେବେଠାରୁ ୧୪ ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ପଡିବା ଦେଖିବାକୁ ମିଳୁନାହିଁ । ତେବେ ଅନେକ ବର୍ଷ ପରେ ଏହି ବିରଳ ଘଟଣା ଦେଖିବାକୁ ମିଳିଛି । ଯଦି ନୀଳଚକ୍ରରେ ଅଧିକ ବାନା ବନ୍ଧା ହୋଇଥାଏ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥାନ୍ତି ଓ ଶୂନ୍ୟ ଗଣ୍ଠି ପଡ଼ିଥାଏ । ବାନା ଗୁଡ଼ିକ ପରସ୍ପର ମଧ୍ୟରେ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ତାହା କିଛି ବୁଝି ହୁଏ ନାହିଁ । ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ । ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ । ବରିଷ୍ଠ ଚୁନରା ସେବକ ଡକ୍ଟର ମହାନ୍ତି କହିଛନ୍ତି, ଅନେକ ଲୋକ ଏହି ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର ଅବା ଡ୍ରଇଁ ରୁମ୍‌ରେ ରଖନ୍ତି । ଏଗୁଡ଼ିକୁ ଘରେ ରଖିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Comments are closed.