ଜନବସତି ମୁହାଁ ବଣୁଆହାତୀ: କାଶୀନଗରରେ କୋକୁଆ ଭୟ

0 68

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନ୍ଏସି ମହକୁମାର ଜନବସତି ମୁହାଁ ହୋଇଛନ୍ତି ବଣୁଆହାତୀପଲ । ଏଣୁ କାଶୀନଗର ସହରବାସୀ କୋକୁଆ ଭୟ ମଧ୍ୟରେ କାଳତିପାତ କରୁଛନ୍ତି । କାଶୀନଗର ସହରଟି ବଂଶଧାରା ନଦୀକୂଳରେ ଅବସ୍ଥିତ । ବଂଶଧାରା ନଦୀର ଅପରପାଶ୍ୱର୍ରେ ଅର୍ଥାତ କାଶୀନଗର ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଥିବା ଆନ୍ଧ୍ରରର ତଲଡା ଗ୍ରାମରେ ଗତ ୭ ଦିନ ହେଲା ୪ଗୋଟି ବଣୁଆ ହାତୀ ଆମ୍ବ, କାଜୁ, କଦଳୀ, ଆଖୁ ଆଦି ଫସଲକୁ ଖାଇବା ସହ ବଂଶଧାରା ନଦୀକୁ ସବୁଦିନ ସନ୍ଧ୍ୟାରେ ପାଣିପିଇବା ପାଇଁ ଆସୁଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ୪ଗୋଟି ବଣୁଆହାତୀ ବଂଶଧାରା ନଦୀ ମଧ୍ୟଭାଗ ପର୍ଯ୍ୟନ୍ତ ଆସିଥିଲେ । ଅର୍ଥାତ ଗଜପତିର କାଶୀନଗର ସହରର ବ୍ରାହ୍ମଣସାହି ନିକଟତର ହୋଇଥିଲେ । ଏହାକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇପଡିଥିଲେ । କିଛି ସମୟ ପରେ ପୁଣି ଏହି ହାତୀପଲ ଆନ୍ଧ୍ରର ଆମ୍ବ ତୋଟାକୁ ଫେରିଯାଇଥିଲେ । କୌଣସି ମୁହୂର୍ତ୍ତରେ ଏଭଳି ଭାବେ ଏହି ବଣୁଆ ହାତୀପଲ କାଶୀନଗର ବ୍ରାହ୍ମଣସାହି ଦେଇ ସହର ମଧ୍ୟରେ ପ୍ରବେଶ କରିପାରନ୍ତି । ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ବନବିଭାଗ ପଡୋଶୀ ଆନ୍ଧ୍ର ପ୍ରଶାସନକୁ ଅନୁରୋଧ ଜଣାଇ ଓଡିଶା-ଆନ୍ଧ୍ର ବନବିଭାଗ ଦ୍ୱାରା ହାତୀପଲକୁ ବର୍ତ୍ତମାନ ଯେଉଁ ସ୍ଥାନରେ ହାତୀପଲ ରହୁଛନ୍ତି ସେଠାରୁ ଘଉଡାଇ ଆନ୍ଧ୍ର ଜଙ୍ଗଲ ଭିତରକୁ ପଠାଇବା ବ୍ୟବସ୍ଥା କରିବା ପାଇଁ କାଶୀନଗରବାସୀ ଦାବି ଜଣାଇଛନ୍ତି । ଏପରି କରାନଗଲେ ଯେକୌଣସି ସମୟରେ ଏହି ହାତୀପଲ କାଶୀନଗର ସହର ମଧ୍ୟରେ ପ୍ରବେଶ କରି ଧନଜୀବନକୁ ବିପନ୍ନ କରିବ । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ ଶେଖର ବେହେରା କହିଛନ୍ତି, ବଣୁଆ ହାତୀପଲ ସେମାନଙ୍କ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ହାତୀପଲ ଦ୍ୱାରା ଆନ୍ଧ୍ର କିମ୍ବା ଗଜପତିରେ କୌଣସି କ୍ଷୟକ୍ଷତି ଘଟିନାହିଁ । ବଣୁଆହାତୀର ଗତିବିଧି ନେଇ ଉଭୟ ଆନ୍ଧ୍ର ଓ କାଶୀନଗର ବନବିଭାଗ ସଜାଗ ରହିବା ସହ ତୀକ୍ଷଣ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଯେ କୌଣସି ଖବର ଥିଲେ ତୁରନ୍ତ ବନବିଭାଗକୁ ଜଣାଇବା ସହ ବଣୁଆହାତୀ ପଲ ପ୍ରତି କୌଣସି ବିଶୃଙ୍ଖଳାଭାବ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.