ଆରମ୍ଭ ହେଲା ଘୋଷଯାତ୍ରା ପ୍ରସ୍ତୁତି : ଆଜ୍ଞାମାଳ ବିଜେ ପରେ ରଥକାଠ ଅନୁକୂଳ

60

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ରଥକାଠ ଅନୁକୂଳ ହୋଇଛି । ଏଥିସହ ପୁରୀ ବଡଦାଣ୍ଡ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଛି । ୩ ରଥ ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନିଜଣ ପୂଜାପଣ୍ଡା ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ । ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଓ ରଥନିର୍ମାଣ ହୋଇଛି ।

ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ । ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା । ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା । ପୂଜା ପଣ୍ଡା ଆଜ୍ଞାମାଳ ବିଶ୍ୱକର୍ମା ମହାରଣାଙ୍କୁ ପ୍ରଦାନ କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ୱାରା ରଥ ଅନୁକୂଳ ହୋଇଥିଲା । ଏହାପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ, ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ ଓ ବଡ଼ଦାଣ୍ଡରେ ୧୪୪ଧାରା ଜାରି ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ ପି, ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀବନ୍ଧା ଯାଇଥିଲା । ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ । ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଜଳକ୍ରୀଡ଼ା କରିଥିଲେ । ଏହି ଦୃଶ୍ୟ ଥିଲା ବେଶ୍ ଅପୂର୍ବ ଓ ମନୋରମ । ଗତବର୍ଷ କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତିକାତ୍ମକ ଭାବେ ରଥନିର୍ମାଣ ଅନୁକୂଳ ଓ ବାହାର ଚନ୍ଦନ ଯାତ୍ରା ହୋଇଥିବା ବେଳେ ଚଳିତବର୍ଷ ବିନାଭକ୍ତରେ ଓ କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଯାତ୍ରା । ଏଥିସହ ଆସନ୍ତାକାଲିଠାରୁ ରଥନିର୍ମାଣରେ ସମ୍ପୃକ୍ତ ସେବାୟତ ସଙ୍ଗରୋଧରେ ରହିବେ ।

Comments are closed.