ଜନସେବା କର୍ତ୍ତବ୍ୟ, କର୍ମ ମାନବିକତା । ଅନ୍ୟଗ୍ରାମକୁ ଆସି ଉପାଧ୍ୟକ୍ଷ ଉଠାଇଲେ ଶବ

0 71

ବୁଗୁଡା_୧୬/୦୫/୨୦୨୧: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ପାଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ଘଟଣା। ଆଠ ଦିନ ଜ୍ଵର ହେବା ପରେ ମଇ ୧୬ ତାରିଖ ପୂର୍ବ ରାତ୍ରରେ ପରଲୋକ ଗମନ କରିଥିଲେ ୪୫ ରୁ ୫୦ ବର୍ଷ ମଧ୍ୟର ବାବୁରାମ ବିଷୋୟୀ। ବୁଗୁଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ଗ୍ରାମର ଲୋକମାନେ ଭାବିନେଲେ ବାବୁରାମ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମର କୌଣସି ଲୋକ ଆସିଲେ ନାହିଁ ଶବ ନିକଟକୁ। ଏପରିକି ସମ୍ପର୍କୀୟ ମାନେ ମଧ୍ୟ ଆସିଲେ ନାହିଁ ଉଠାଇବାକୁ ଶବ। ଏତେ ବଡ଼ ଗ୍ରାମରେ ମିଳିଲା ନାହିଁ ଚାରି କାନ୍ଧ ଉଠାଇବାକୁ ବାବୁରାମଙ୍କ ଶବ। ଦୀର୍ଘ ସମୟ ଧରି ଘରେ ପଡ଼ିରହିଲା ଶବ। ଘରୁ ଭାସି ଆସୁଥାଏ କେବଳ ଛାତି ଫଟା କ୍ରନ୍ଦନର ସ୍ୱର। ଖବର ପହଞ୍ଚିଲା ନିକଟସ୍ଥ ଗ୍ରାମ ଅରଖପୁର ବାସିନ୍ଦା ତଥା ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁଙ୍କ ନିକଟରେ। ଶବ ଉଠାଇବାକୁ ଅଣ୍ଟା ଭିଡ଼ିଲେ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ। ୫ ଜଣ ଯୁବ ସ୍ୱେଚ୍ଛାସେବୀ ଗୌରାଙ୍ଗ ସ୍ଵାଇଁ, ତ୍ରିଲୋଚନ ସ୍ଵାଇଁ, ଦୀପକ ଭୂୟାଁ, ସନ୍ୟାସୀ ନାୟକ ଓ କେଶବ ସ୍ଵାଇଁଙ୍କୁ ଡାକି ଶବ ଉଠାଇ ଶ୍ମଶାନକୁ ନେଇ ଦାହ କରିବାକୁ କହିବା ପରେ ସେମାନେ ମଧ୍ୟ ଅଣ୍ଟା ଭିଡିଥିଲେ। ଉପାଧ୍ୟକ୍ଷ ଶ୍ରୀ ସ୍ଵାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ଖବର ଦେଇ ପିପିଇ କିଟ୍ ପଠାଇବାକୁ କଲେ ଅନୁରୋଧ। କିଛିଦିନ ପୂର୍ବେ କୁଶପଲ୍ଲୀ ଗ୍ରାମରେ ନିଜେ ଶବ ଉଠାଇ ଉଦାହରଣ ସୃଷ୍ଟି କରିଥିବା ବିଡ଼ିଓ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ପିପିଇ କିଟ୍ ପଠାଇଥିଲେ। ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁଙ୍କ ନେତୃତ୍ୱରେ ଅରଖପୁର ଗ୍ରାମରୁ ପାଞ୍ଚ ଜଣ ସାଥୀଙ୍କ ସହ ଅନ୍ୟ ଗ୍ରାମ ମହୁଳପଲ୍ଲୀରେ ପହଞ୍ଚିଥିଲେ। ସମସ୍ତେ ପିପିଇ କିଟ୍ ପରିଧାନ କରି ସ୍ୱର୍ଗତ ବାବୁରାମ ବିଷୋୟୀଙ୍କ ଶବକୁ ଘରୁ ବାହାର କରି କାନ୍ଧ ଲଗାଇ ବୋହି ନେଇ ଦାହ କରିଥିଲେ ଗ୍ରାମ ଶ୍ମଶାନ ଭୂମିରେ। ଗତ ବର୍ଷ ମଧ୍ୟ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଜଣେ କରୋନା ରୋଗୀଙ୍କ ଶବ ଉଠାଇ ମାନବିକତା ର ପରିଚୟ ଦେଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଜଣେ ଲୋକପ୍ରତିନିଧି ଭାବେ ଏହା ତାଙ୍କର କର୍ତ୍ତବ୍ୟ ଭାବି ପୁଣି ମାନବିକତାର ପରିଚୟ ଦେଇ ଅନ୍ୟ ଲୋକପ୍ରତିନିଧି ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

Leave A Reply

Your email address will not be published.