ଘରକୁ ଘର ବୁଲି ଅକ୍ସିଜେନ ସ୍ତର ଓ ଶରୀରର ତାପମାତ୍ରା ଯାଂଚ୍ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ

48

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି  । ବର୍ତ୍ତମାନ ପରିସ୍ଥିତିରେ କରୋନା ଗ୍ରାମାଞ୍ଚଳ ମୁହାଁ ହେଲାଣି  । ଏଣୁ ଜିଲ୍ଲାର ଘରକୁ ଘର ବୁଲି ଜନ ସାଧାରଣଙ୍କ ଅକ୍ସିଜେନ୍ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ଉପରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ବ ଆରୋପ କରିଛନ୍ତି  । ଏ.ଏନ୍.ଏମ୍., ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ ଉପଜିଲ୍ଲାପାଳ ମାନେ ଏକଟିମ୍ ଗଠନ କରି ଘରକୁ ଘର ବୁଲି ଏକ୍ସିଜେନ୍ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ କରିବାକୁ କହିଥିଲେ  ।

ବର୍ତ୍ତମାନ ଦେଖାଯାଉଛିଯେ, କୋଭିଡ୍ ଲକ୍ଷଣ ନଥାଇ ମଧ୍ୟ କେତେକ ବ୍ୟକ୍ତିଙ୍କର ଅକ୍ସିଜେନ୍ ସ୍ତର କମିଯାଇ ହଠାତ୍ ଗୁରୁତର ହୋଇଯାଉଛନ୍ତି  । ଏଣୁ ଅକ୍ସିଜେନ୍ ସ୍ତର ୯୫ ରୁ ୧୦୦ ମଧ୍ୟରେ , ୯୨ ରୁ ୯୫ ମଧ୍ୟରେ ଏବଂ ୯୨ରୁ କମ୍ ଥିବା ଏହିପରି ତିନି ଭାଗରେ ବିଭକ୍ତ କରି ଯାଂଚ୍ କରାଯିବ  । ଯେଉଁ ମାନଙ୍କର ଅକ୍ସିଜେନ ସ୍ତର ୯୦ ରୁ କମ୍ ହୋଇଥିବ ସେମାନଙ୍କୁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯିବ  । କେହି ଗୁରୁତର ହେଲେ ସେମାନଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଯିବ ତାହା ଡାକ୍ତରମାନେ ସ୍ଥିର କରିବେ  । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ସି ମିଟର ଏବଂ ଥର୍ମୋମିଟର ଯୋଗାଇ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଗ୍ରାମାଞ୍ଚଳରେ କୋଭିଡ୍ କମିଟିକୁ ସଶକ୍ତି କରଣ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ  ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ଗୁଡିକରେ କୋଭିଡ୍ କମିଟି ମିଟିଂ କରି ଜନ ସାଧାରଣ ଙ୍କୁ ସଚେତନ କରାଇବେ । କରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ମହିଳା, ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମାନଙ୍କ ସୁରକ୍ଷା ଲାଗି ସମସ୍ତ ସି.ଡି.ପି.ଓ. ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ସୁରକ୍ଷାଲାଗି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।  ଯେଉଁ ମାନେ ବାହାଘର ସକାଶେ ଅନୁମତି ଗ୍ରହଣ କରୁଛନ୍ତି, ଏଣିକି ବାହାଘରରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବେ  । ବାହାଘର ପାଇଁ ପରିବାର ବର୍ଗଙ୍କର ଆଣ୍ଟିଜେନ୍ ଟେଷ୍ଟ ସୁବିଧା କରାଇବାକୁ ସମସ୍ତ ଉପଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ବାହାଘର ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ  । ଶ୍ମଶାନ ଗୁଡିକରେ ସମସ୍ତ ପ୍ରକାର ସୁବିଧା ଅଛି କି ନାହିଁ ତାହା ତଦାରଖ କରିବାକୁ ଏବଂ ଅନାଥ ଶିଶୁମାନଙ୍କର ଥଇଥାନ ବ୍ୟବସ୍ଥା କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

ଚାଇଲଡ୍ କେୟାର୍ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକୁ ସର୍ଭେ କରି ଉପଯୁକ୍ତ ସାନିଟାଇଜେସନ୍, ସାମାଜିକ ଦୂରତ୍ବ ଏବଂ କୋଭିଡ୍ ପ୍ରୋଟୋକଲ୍ ଠିକ୍ ରୂପେ ପାଳନ କରାଯାଉଛି କି ନାହିଁ ତାହାର ତଦାରଖ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏବଂ ଲିନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ ପ୍ରମୁଖ  ଉପସ୍ଥିତ ଥିଲେ  ।

Comments are closed.