ଡରାଇଲାଣି ସିଙ୍ଗାପୁର ଷ୍ଟ୍ରେନ

69

-କର୍ଣ୍ଣାଟକରେ ୧୫ ଦିନରେ ୧୯ ହଜାର ଶିଶୁ ସଂକ୍ରମିତ, ଦିଲ୍ଲୀରେ ୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକରେ ଅହେତୁକ ଭାବେ କରୋନା ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି ଶିଶୁ । ମହାରାଷ୍ଟ୍ର ପରେ କର୍ଣ୍ଣାଟକ ହେଉଛି ସେହି ରାଜ୍ୟ ଯେଉଁଠାରେ କରୋନାର ଦ୍ୱିତୀୟ ଲହର ବେଳେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ପଟେ ବିଶେଷଜ୍ଞଙ୍କ ମତରେ କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେଶୀ ବିପଦ ବୋଲି କହୁଥିବା ବେଳେ ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକର ସ୍ଥତି ଦେଶବସୀଙ୍କୁ ଭୟଭୀତ କରିଛି ।

କହିରଖୁ କି କରୋନାର ପ୍ରଥମ ଲହର ବେଳେ କର୍ଣ୍ଣାଟକରେ ମାର୍ଚ୍ଚ ୯ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଠାରେ ବି କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜ୍ୟରେ ୧୦ ବର୍ଷରୁ କମ୍ ୧୯.୩୭୮ ଜଣ ସଂକ୍ରମିତ ହୋଇଥିଲେ । ସେହିଭଳି ୧୧ବର୍ଷରୁ ୨୦ବର୍ଷ ମଧ୍ୟରେ ୪୧,୯୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କଥା କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ହେଲେ ଏସବୁ ରେକର୍ଡ ଏବେ ଭାଙ୍ଗିଛି ।

ଗତ ୧୫ ଦିନରେ ୧୦ବର୍ଷରୁ କମ୍ ୧୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡକ୍ଟରଙ୍କ କହିବା ମୁତାବକ ପିଲାଙ୍କଠାରେ କରୋନାର ଅଜବ ଲକ୍ଷଣ ଦେଖିବାକୁ ମିଳୁଛି । ୧୦ବର୍ଷରୁ କମ୍ ପିଲାଙ୍କଠାରେ ଗେଷ୍ଟ୍ରାଏଣ୍ଟେରାଇଟସ୍ ଦେଖିବାକୁ ମିଳୁଥିବା ବେଳେ କିଛି ପିଲାଙ୍କଠାରେ ଚର୍ମରୋଗ ଦେଖିବାକୁ ମିଳୁଛି । ଏନେଇ ସରକାର ଏବେଠାରୁ ସଜାଗ ହେଉଥିବା ଜଣାପଡିଛି । ଏହାପୂର୍ବରୁ ବି ଦିଲ୍ଲୀରେ କରୋନା ସଂକ୍ରମଣରେ ୨ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି । ୫ବର୍ଷର ପରୀ ଓ ୯ବର୍ଷର କେଶୁ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସିଙ୍ଗାପୁରରେ ମିଳିଥିବା ନୁଆ ଷ୍ଟ୍ରେନ୍ କରୋନା ଭାଇରସ୍ର ତୃତୀୟ ଲହର ଦେଶରେ ବି ସୃଷ୍ଟି କରିପାରେ ଏବଂ ସିଙ୍ଗାପୁର ସହିତ ତୁରନ୍ତ ବିମାନ ସେବା ବନ୍ଦ କରିବାକୁ କେନ୍ଦ୍ରକୁ ନିବେଦନ କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆଜି ଏକ ଟୁଇଟ୍ରେ କହିଛନ୍ତି,ସିଙ୍ଗାପୁରରେ ମିଳୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି ।

ଏହା ଭାରତରେ କରୋନାର ତୃତ୍ୱୀୟ ଲହରି ଆଣିପାରେ । ସିଙ୍ଗାପୁର ସହିତ ବିମାନ ସେବାକୁ ତୁରନ୍ତ ବନ୍ଦ କରିବାକୁ ଏବଂ ପ୍ରାଥମିକତା ଭିତ୍ତିରେ ପିଲାମାନଙ୍କ ପାଇଁ ଟିକା ବିକଶିତ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ ଚରିଛନ୍ତି । ତେବେ ଦେଶର ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୪୮୨ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ୨୬୫ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ମହାମାରୀ କରୋନା ସଂକ୍ରମଣ ଆଶତୀତ ଭାବେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

ଗତ ୨୪ ଘଣ୍ଟାରେ ଭାରତରେ କରୋନା ମୃତ୍ୟୁ ସବୁ ରେକର୍ଡ ଭାଙ୍ଗି ଦେଇଛି । ମଙ୍ଗଳବାର ଭାରତର କରୋନା ସଂକ୍ରମଣ ୨୫ ମିଲିୟନ ପାର୍ କରିଛି । ଆମେରିକା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତରେ ଏତେ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ସର୍ବାଧିକ କରୋନାଜନିତ ମୃତ୍ୟୁ ଭାରତରେ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ୪୩୨୯ ଜଣଙ୍କ ଜୀବନ ଯାଇଛି । ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇ ନଥିଲେ । ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୬୩,୨୮,୫୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ୪,୨୨,୪୩୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୨,୨୮,୯୯୬କୁ ବୃଦ୍ଧି ପାଇଛି ।

ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୨,୧୫,୯୬,୫୧୨ରେ ପହଞ୍ଚି ଯାଇଛି । ୨୪ ଘଣ୍ଟାରେ ୪,୩୨୯ ଜଣଙ୍କ ମୃତ୍ୟୁ ଘଟିବାରୁ ମୋଟ ମୃତ୍ୟୁସଂଖ୍ୟା ୨,୭୮,୭୧୯ ଛୁଇଁଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୩,୫୩,୭୬୫ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୪୪,୫୩,୧୪୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୭ ତାରିଖ ସୁଦ୍ଧା ସମୁଦାୟ ୩୧,୮୨,୯୨,୮୮୧ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୬୯,୨୨୩ଟି ନମୁନା । ଅନ୍ୟପକ୍ଷରେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୫୭୭୯ ଓ ସ୍ଥାନୀୟ ସଂକ୍ରମିତ ୪୫୪୨ ଜଣ ରହିଥିବା ଜଣାଯାଇଛି । ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୬ ଜଣଙ୍କୁ ଚିହ୍ନଟ କରାଯାଇଛି ।

ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ ଜିଲାରୁ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ସ୍ଥିତ ରହୁଥିବା ଲକ୍ଷ୍ୟ କରାଯାଇଛି । ପୂର୍ବଦିନ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ବେଳେ ଗତକାଲି ପୁନଶ୍ଚ ଏଥିରେ ମାତ୍ରାଧିକ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୭୧, ବାଲେଶ୍ୱର ୨୬୯, ବରଗଡ ୩୨୦, ଭଦ୍ରକ ୩୫୦, ବଲାଙ୍ଗୀର ୨୯୧,
ବୌଦ୍ଧ ୨୫୦, କଟକ ୭୩୧, ଦେବଗଡ ୧୧୪, ଢେଙ୍କାନାଳରୁ ୭୭ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗଜପତିରୁ ୫୬, ଗଞ୍ଜାମ ୨୦୩, ଜଗତ୍ସିଂହପୁର ୧୫୯, ଯାଜପୁର ୩୩୦, ଝାରସୁଗୁଡା ୩୧୨, କଳାହାଣ୍ଡି ୫୯୯, କନ୍ଧମାଳ ୫୪, କେନ୍ଦ୍ରାପଡା ୧୬୨, କେନ୍ଦୁଝର ୨୦୪, କୋରାପୁଟରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ମାଲକାନଗିରିରୁ ୭୭, ମୟୂରଭଞ୍ଜ ୪୫୮, ନବରଙ୍ଗପୁର ୩୩୪, ନୟାଗଡ ୨୭୩, ନୂଆପଡା ୧୪୫, ପୁରୀ ୪୭୨, ରାୟଗଡା ୧୬୩,ସମ୍ବଲପୁର ୪୦୫, ସୁନ୍ଦରଗଡ ୮୧୯ ଏବଂ ଷ୍ଟେଟ୍ପୁଲରୁ ୨୪୬ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଏହି ସମୟ ମଧ୍ୟରେ ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ୧୦୯୯୭୮୭୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬୩୩୩୦୨ଜଣ କରୋନା ସଂକ୍ରମିତ ରହିଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୫୨୬୩୫୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ରାଜ୍ୟରେ ଗତକାଲି ସୁଦ୍ଧା ୧୦୪୫୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟରୁ ଜଣାଯାଇଛି ।

Comments are closed.