ପଶ୍ଚିମ ଉପକୂଳ ପରେ ପୂର୍ବତଟରେ ଭୟ ଘାରିଲା : ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା

67

ନୂଆଦିଲ୍ଲୀ : ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶାରେ ବାତ୍ୟା ନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଛନକା ପଶେ । କାରଣ ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି ଏବଂ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ବ୍ୟାପକ କ୍ଷୟକ୍ଷତି କରୁଛି । ଚଳିତ ବର୍ଷର ପ୍ରଥମ ବାତ୍ୟା ତଉକ୍ତେ ଗୁଜରାଟ ଆଡେ ଚାଲିଯାଇଛି । ହେଲେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ସଂକେତ ମିଳୁଛି । କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଏକ ଟ୍ୱିଟ୍ କରି ତଉକ୍ତେର ସଠିକ ଆକଳନ ପାଇଁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ତଉକ୍ତେ ସ୍ଥିତି, ଏହାର ଗତି ସହ ଲ୍ୟାଣ୍ଡଫଲ୍ ସ୍ଥାନ ଓ ସମୟ ବାବଦରେ ଏକ ଦମ୍ ଠିକ ଆକଳନ କରୁଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଇଛନ୍ତି ମାଧବନ ରାଜୀବନ୍ ।

ହେଲେ ବଙ୍ଗୋପସାଗରରେ ଆଗାମୀ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସେ ସଂକେତ ଦେଇଛନ୍ତି । ପଶ୍ଚିମ ଉପକୂଳ ପରେ ଏବେ ପୂର୍ବତଟ ଉପରେ ନଜର । ଆରବସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ ବଳୟ । ୨୩ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଏହା ବାତ୍ୟାର ରୂପ ନେବ କି ? ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଆସନ୍ତା ସପ୍ତାହରେ ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ବୋଲି ଆକ୍ୟୁ ୱେଦର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବ ଉତ୍ତରପୂର୍ବ ଭାରତ ବାଂଲାଦେଶ ଓ ମିଆଁମାର ଉପରେ ପଡ଼ିପାରେ । ସାଧାରଣତଃ ଏପ୍ରିଲ, ମେ ଓ ଜୁନ୍ ହେଉଛି ବାତ୍ୟାର ମାସ । ମେ ମାସରେ ଅନେକ ବାତ୍ୟାକୁ ଦେଖିଛି ଦେଶ ।

ଗତ ୩ବର୍ଷ ଧରି ଏହି ମାସରେ ଆମେ ବାତ୍ୟାକୁ ସାମ୍ନା କରିଛେ । ୨୦୧୯ ମେ’ରେ ଆସିଥିଲା ଫନି । ସେହିପରି ୨୦୨୦ରେ ଆସିଥିଲା ଅମ୍ଫାନ୍ । ୨୦୨୧ରେ ଆରବସାଗରରେ ତଉକ୍ତେ । ଏବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ କି ? ଭାରତୀୟ ପାଣିପାଗ ବିଭାଗ କହିଛି ମେ ୨୧ରେ ଆଣ୍ଡାମାନ୍ରେ ମୌସୁମୀର ଆଗମନ ହେବ । ଏହି ସମୟ ବାତ୍ୟା ପାଇଁ ଅନୁକୂଳ ରହିବ । ତେଣୁ ୨୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ ନଜର ରଖାଯାଇଛି ।

Comments are closed.